ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ବ୍ଲାକମେଲ କରୁଥିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ

ଗୌହ୍ବାଟୀ: ଆସାମର ଗୌହ୍ବାଟୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ବ୍ଲାକମେଲ କରୁଥିବା  ଘଟଣାରେ ସାମିଲ ଥିବା ଜଣେ ଅଭିଯୁକ୍ତର ପୁଲିସ ଗୁଳିରେ ମୃତ୍ୟୁ ହୋଇଛି। ଅଭିଯୁକ୍ତ ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଏନକାଉଣ୍ଟର କରିଥିଲା ପୁଲିସ।

ଆସାମ ପୁଲିସ ସୂଚନାନୁସାରେ, ଅଭିଯୁକ୍ତ ବିକି ଅଲି ଜଣେ ୧୬ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମହିଳା ପୁଲିସ ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରିଥିଲା। ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାବାକୁ ଆସିଥିବା ସମୟରେ ପୁଲିସ ଉକ୍ତ ଅଭିଯୁକ୍ତକୁ ପାନ ବଜାର ଆଣିଥିଲା। ଏହି ସମୟରେ ସେ ଫେରାର ହେବାକୁ ଉଦ୍ୟମ କରିବା ସହିତ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ଅଭିଯୁକ୍ତର ଗୁଳିରେ ଦୁଇ ମହିଳା ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଏହାପରେ ପୁଲିସ ଉକ୍ତ ଅଭିଯୁକ୍ତକୁ ଆତ୍ମସମର୍ପଣ କରିବାକୁ କହିଥିଲା। କିନ୍ତୁ ଅଭିଯୁକ୍ତ ମାନି ନଥିଲା। ଶେଷରେ ବାଧ୍ୟ ହୋଇ ପୁଲିସ ଏନକାଉଣ୍ଟର କରିଥିଲା।

ଏନକାଉଣ୍ଟରରେ ଆହତ ହୋଇଥିବା ଅଭିଯୁକ୍ତକୁ ଗୌହ୍ବାଟୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା  କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଜିଏମଏଚସି ଅଧୀକ୍ଷକ ଅଭିଜିତ୍ ଶର୍ମା କହିଛନ୍ତି ଯେ ଅଭିଯୁକ୍ତକୁ ଚାରିଟି ଗୁଳି ବାଜିଥିଲା। ପୋଷ୍ଟମର୍ଟମ ପରେ ଅଭିଯୁକ୍ତର ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ। ଚିକିତ୍ସା ପରେ ଆହତ ହୋଇଥିବା ଦୁଇ ମହିଳା ପୁଲିସ କର୍ମଚାରୀ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର