ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିଆବାଦ କଲେଜ ଛାତ୍ରମାନେ ମଶି ଜଣେ ୨୭ବର୍ଷୀୟ ଜିମ ପ୍ରଶିକ୍ଷକଙ୍କୁ ହତ୍ୟା କରିଛନ୍ତି। ମୃତ ଜିମ ପ୍ରଶିକ୍ଷକଙ୍କ ନାମ ବିରାଟ ମିଶ୍ରା ବୋଲି ଜଣାପଡ଼ିଛି। ବିରାଟଙ୍କୁ ଛାତ୍ରମାନେ ଇଟା, ପଥର ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଛଅଜଣ ଛାତ୍ରଙ୍କୁ ଗିରଫ କରିଛି।
ଗିରଫ ସମସ୍ତ ଛାତ୍ର ଯୁକ୍ତତିନରେ ପଢ଼ୁଥିବା ବେଳେ ଏମାନେ ହେଉଛନ୍ତି ମନିଷ କୁମାର ସିଂହ, ଗୌରବ କସାନା, ବିପୁଲ କୁମାର, ମନିଷ ଯାଦବ, ଆକାଶ କୁମାର ଓ ପଙ୍କଜ। ଏମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୧୪୭, ୩୨୩ ଓ ୩୦୭ ଆଧାରରେ ମାମଲା ରୁଜୁ କରାଯାଇଛି।
ଏହି ଘଟଣାକୁ ନେଇ ସାହିବାବାଦ ଏସିପି ଭାସ୍କର ବର୍ମା କହିଛନ୍ତି, ଲାଜପତ ନଗରରେ ରହୁଥିବା ବିରାଟ ମିଶ୍ରା ରାଜ ନଗରରେ ଜିମ ପ୍ରଶିକ୍ଷକ ଭାବେ କାମ କରୁଥିଲେ। ଏଲଆର କଲେଜର କିଛି ଦୂରରେ ସେ ତାଙ୍କ ଘର ପାଖରେ ମୁଖ୍ୟ ଅଭିଯୁକ୍ତ ମନିଷଙ୍କୁ ଏକ ଯୁବତୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ବିରାଟ ଆପତ୍ତି କରି କହିଥିଲେ, ‘ଜନଗହଳିପୁର୍ଣ୍ଣ ସ୍ଥାନରେ ଏପରି କରିବା ଠିକ ନୁହେଁ।’
ଏହି ଘଟଣାକୁ ନେଇ ବିବାଦ ବଢ଼ି ଯାଇଥିଲା। ମନିଷ ସଙ୍ଗେସଙ୍ଗେ ତାଙ୍କ କଲେଜ ସାଙ୍ଗମାନଙ୍କୁ ଫୋନ କରି ଡକାଇ ଦେଇଥିଲେ। ଏହାପରେ ଛଅଜଣ ଛାତ୍ର ମିଶି ବିରାଟଙ୍କୁ ମାଡ଼ ମାରିବା ସହିତ ଇଟା, ପଥର ଓ କାଠରେ ପିଟିପିଟି ଗୁରୁତର କରିଥିଲେ।
ଏହି ସମୟରେ ବିରାଟଙ୍କ ଘର ପାଖରେ ରହୁଥିବା ବଣ୍ଟି ଉକ୍ତ ଛାତ୍ରଙ୍କ କବଳରୁ ଜିମ ପ୍ରଶିକ୍ଷକଙ୍କୁ ଉଦ୍ଧାର କରି ଜିଟିବି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ବିରାଟଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/୮୦.jpg)