‘ପତିକୁ ମାଡ଼’ ନାମରେ ନୂଆ ବିଭାଗ ଖୋଲିଲା ପୁଲିସ୍‌; ଜରୁରିକାଳୀନ ନମ୍ବର ୧୦୦

ମଧ୍ୟପ୍ରଦେଶ: ବୃଦ୍ଧି ପାଉଛି ପତି ନିର୍ଯାତନା

ଭୋପାଳ: ସଂପ୍ରତି ମଧ୍ୟପ୍ରଦେଶରେ ପତ୍ନୀମାନଙ୍କ ଦ୍ୱାରା ପତିମାନଙ୍କ ଉପରେ ନିର୍ଯାତନା ଓ ଶାରୀରିକ ଆକ୍ରମଣ ଘଟଣା ଆଶାତୀତ ଭାବେ ବୃଦ୍ଧି ପାଇବା ସହ କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବାରୁ ଏହା ଏବେ ମଧ୍ୟପ୍ରଦେଶ ପୋଲିସ୍‌ ପାଇଁ ଏକ ଚିନ୍ତାର କାରଣ ହୋଇଛି। ପରିସ୍ଥିତିର ମୁକାବିଲା କରିବା ପାଇଁ ଏବେ ମଧ୍ୟପ୍ରଦେଶ ପୁଲିସ୍‌ ପକ୍ଷରୁ ପତ୍ନୀ ଦ୍ୱାରା ନିର୍ଯାତିତ ପୁରୁଷମାନେ ଜରୁରିକାଳୀନ ପୋଲିସ୍‌ କଂଟ୍ରୋଲ୍‌ ରୁମ୍‌ ୧୦୦କୁ ଫୋନ୍‌ କରି ପୋଲିସ୍‌ ସହାୟତା ଲୋଡ଼ିପାରିବେ ବୋଲି ଘୋଷଣା କରିବା ସହ ‘ପତିକୁ ମାଡ଼’ ନାମରେ ଏକ ନୂତନ ବିଭାଗ ପୋଲିସ୍‌ କଂଟ୍ରୋଲ ରୁମ୍‌ରେ ଖୋଲିଛି।

ମଧ୍ୟପ୍ରଦେଶର ଜନୈକ ବରିଷ୍ଠ ପୋଲିସ୍‌ ଅଧିକାରୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେ ପ୍ରାୟ ପ୍ରତ୍ୟେକ ଦିନ ଏକାଧିକ ପତି ଜରୁରିକାଳୀନ ପୋଲିସ୍‌ କଂଟ୍ରୋଲ୍‌ ରୁମ୍‌ ୧୦୦କୁ ଫୋନ୍‌ କରି ନିଜ ପତ୍ନୀ ଦ୍ୱାରା ମାଡ଼ ଖାଇ ଗୁରୁତର ହେବା ସଂପର୍କରେ ଅଭିଯୋଗ ଆଗତ କରୁଛନ୍ତି। ଏବଂ ଅଭିଯୋଗ ପାଇବା ପରେ ସଦଳବଳେ ଯାଇ ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଉଛି ଯେ ଆଗତ ଅଭିଯୋଗରେ ସତ୍ୟତା ରହିଛି। ଗତ ଦୁଇ ମାସ ମଧ୍ୟରେ ମଧ୍ୟପ୍ରଦେଶ ପୋଲିସ୍‌ ୮୪୬ଟି ଏହିପରି ଅଭିଯୋଗ ପାଇଥିବା ସଂପୃକ୍ତ ଅଧିକାରୀ କହିଛନ୍ତି।
ଜରୁରିକାଳୀନ ପୋଲିସ୍‌ କଂଟ୍ରୋଲ୍‌ ରୁମ୍‌ ୧୦୦ର ଦାୟିତ୍ୱରେ ରହିଥିବା ପୋଲିସ୍‌ ଅଧିକାରୀ ହେମନ୍ତ ଶର୍ମା କହିଛନ୍ତି ଯେ ପୂର୍ବରୁ କେବଳ ପତ୍ନୀମାନେ ସେମାନଙ୍କ ପତିମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ବା ଶାରିରୀକ ଆକ୍ରମଣର ଶିକାର ହେଉଥିବା ନେଇ ଅଭିଯୋଗ ଆସୁଥିଲା। ତେଣୁ, ଏହାକୁ ପାରିବାରିକ ହିଂସା ରୂପେ ବିବେଚନା କରାଯାଇ ସେଇ ଆଧାରରେ ମାମଲା ରୁଜ୍ଜୁ ହେଉଥିଲା। କିନ୍ତୁ, ଏବେ ପରିସ୍ଥିତି ଠିକ୍‌ ଓଲାଟା ହୋଇଯାଇଥିବାରୁ ‘ପତିକୁ ମାଡ଼’ ନାମରେ ଏକ ନୂତନ ବିଭଗ ଖୋଲି ସେଇ ବିଭାଗ ଅଧିନରେ ଜରୁରିକାଳୀନ ପୋଲିସ୍‌ କଂଟ୍ରୋଲ୍‌ ରୁମ୍‌ ୧୦୦କୁ ଫୋନ୍‌ରେ ଆସୁଥିବା ଅଭିଯୋଗଗୁଡ଼ିକୁ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଦୁଇମାସ ମଧ୍ୟରେ ମଧ୍ୟପ୍ରଦେଶ ପୋଲିସ୍‌ ଜରୁରିକାଳୀନ ପୋଲିସ୍‌ କଂଟ୍ରୋଲ୍‌ ରୁମ୍‌ ୧୦୦ ଜରିଆରେ ୮୪୬ଟି ଏହିପରି ଅଭିଯୋଗ ପାଇଥିବା ଜଣାଯାଇଛି। ଏଗୁଡ଼ିକ ମଧ୍ୟରୁ ୭୦ଟି ଅଭିଯୋଗ ଇନ୍ଦୋରରୁ ଆସିଥିବା ବେଳେ, ଭୋପାଳରୁ ୬୮ଟି, ଜବଲପୁରରୁ ୫୨ଟି, ଗୋଓ୍ଵାଲିୟରରୁ ୩୯ଟି, ଉଜ୍ଜୟିନୀରୁ ୩୦ଟି, ଧରରୁ ୨୬ଟି, ଛିଣ୍ଡଓ୍ଵାରାରୁ ୩୭ଟି ଏବଂ ସାଗରରୁ ୨୪ଟି ଅଭିଯୋଗ ରହିଥିବା ପୋଲିସ୍‌ ସୂତରୁ ପ୍ରକାଶ।

ସମ୍ବନ୍ଧିତ ଖବର