ହାତ ଟେକି ଦେଉଛନ୍ତି ଥାନା ଅଧିକାରୀ

ସ୍ୱାମୀଙ୍କ ବିରୋଧରେ ପତ୍ନୀଙ୍କ ସଂଗିନ ଅଭିଯୋଗ ମାମଲା

ପୁରୁଣା ଭୁବନେଶ୍ୱର : ନିର୍ଦେଶକଙ୍କ ସହ ତାଙ୍କୁ ରାତି କଟାଇବାକୁ ବାଧ୍ୟ କରୁଛନ୍ତି ବୋଲି ନିଜ ସ୍ୱାମୀ ନାମରେ ଜଣେ ମହିଳା ସଂଗିନ ଅଭିଯୋଗ ଆଣିବାର ଦୁଇ ଦିନ ପରେ ବି ଶ୍ରୀଲିଙ୍ଗରାଜ ଥାନା ପୁଲିସ ଚୁପ୍‌ ବସିଛି। ଏ ନେଇ ଥାନାରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୫୦୬, ୪୯୮(ଏ), ୩୧୩, ୩୪ ଏବଂ ଏସ୍‌ସି/ଏସ୍‌ଟି ଆକ୍ଟର ଧାରା ୩ରେ ମାମଲା ରୁଜୁ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବାକୁ କୌଣସି ପଦକ୍ଷେପ ନେଉନି। ଏଥିରେ ଆମର କିଛି କରିବାର ନାହିଁ ବୋଲି କହିଛନ୍ତି ଥାନା ଅଧିକାରୀ। ପୁଲିସର ଏଭଳି ନିଷ୍କ୍ରିୟତାକୁ ନେଇ ବିଭିନ୍ନ ମହଲରେ ଚର୍ଚା ଜୋର ଧରିଛି।

ଶ୍ରୀଲିଙ୍ଗରାଜ ଥାନା ଅଧୀନ ରହୁଥିବା ମାଧୁରୀ(ଛଦ୍ମନାମ) ତାଙ୍କ ସ୍ୱାମୀ ବାଲେଶ୍ୱରର ଚନ୍ଦନ କରଙ୍କ ନାମରେ ସଂଘାତିକ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ ଚନ୍ଦନ ଜାତିରେ ବ୍ରାହ୍ମଣ ହୋଇଥିବାବେଳେ ମୁଁ ଅନୁସୂଚିତ ଜାତି ପରିବାରରୁ ଥିଲି। ଏଥିପାଇଁ ତାଙ୍କ ପରିବାର ଲୋକ ମୋତେ ଚାହୁଁନଥିଲେ। ବିବାହର କିଛି ଦିନ ପରେ ଚନ୍ଦନଙ୍କୁ ଫିଲ୍ମରେ ଅଭିନୟ କରି ହରୋ ହେବାର ନିଶା ଘାରିଥିଲା। ତେଣୁ ସେ ତାଙ୍କୁ ଫିଲ୍ମ ନିର୍ଦେଶକଙ୍କ ଶଯ୍ୟା ସଂଗିନୀ ହେବାକୁ ଚାପ ପକାଉଥିଲେ। ଏପରିକି ସେ ଗର୍ଭରେ ଥିବା ବେଳେ ତାଙ୍କ ପେଟକୁ ମୁଥ ଓ ଗୋଇଠା ମାରି ପିଲାକୁ ନଷ୍ଟ କରି ଦେଇଥିଲେ।

କେବଳ ସେତିକି ନୁହେଁ, ପ୍ରେମ ବିବାହ କରିବା ପରେ ସଦାବେଳେ ଯୌତୁକ ମଧ୍ୟ ଦାବି କରି ଆସୁଥିଲେ। ସ୍ୱାମୀଙ୍କ ନିର୍ଯାତନା ସହି ନପାରି ମାଧୁରୀ ଥାନାର ଦ୍ଵାରସ୍ଥ ହୋଇଥିଲେ। ତେବେ ପୁଲିସ କେବଳ ମାମଲା ରୁଜୁ କରି ବସିଯାଇଛି। ଥାନା ଅଧିକାରୀ ଜନାର୍ଦନ ପାଢ଼ୀ କହିଛନ୍ତି ଯେ ଏହି ମାମଲା ଡିଷ୍ଟ୍ରିକ୍‌ ଲିଗାଲ ସର୍ଭିିସକୁ ଯାଇଛି। ଏଥିରେ ଆମର କିଛି କରିବାର ନାହିଁ। ତେବେ ମାଧୁରୀଙ୍କ ଆଇନଜୀବୀ ତପନ ହରିଚନ୍ଦନ ଚନ୍ଦନଙ୍କ ବିରୋଧରେ ସଂଗିନ ଦଫା ଲାଗିଛି। ତେଣୁ ଏହାର ତଦନ୍ତରେ ଡିଷ୍ଟ୍ରିକ୍‌ ଲିଗାଲ ସର୍ଭିିସ୍‌ର କୌଣସି ଭୂମିକା ନାହିଁ। ପୁଲିସ ତଦନ୍ତ କରି ପଦକ୍ଷେପ ନେବା କଥା। କୌଣସି ଚାପରେ ବଶବର୍ତୀ ହୋଇ ପୁଲିସ ଏପରି କହୁଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର