ମୁମ୍ବାଇ ଟ୍ରେନ୍‌ରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ

0

ଭୁବନେଶ୍ୱର : ଚଳନ୍ତା ଟ୍ରେନରେ ଜଣେ ଓଡ଼ିଆ ଯୁବତୀଙ୍କୁ ମୁମ୍ବାଇରେ ଅସଦାଚରଣ। ଏ ନେଇ ସଂପୃକ୍ତ ଯୁବତୀ ଜଣକ ଟୁଇଟ୍‌ କରିବା ପରେ ମୁମ୍ବାଇ ପୁଲିସ କମିସନର ଥାନେ ରେଳବାଇ ଥାନାକୁ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି। ରେଳବାଇ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଯୁବତୀଙ୍କ ବାପାଙ୍କ ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ତାଙ୍କର ଦୁଇ ଝିଅ କୋଣାର୍କ ଏକ୍ସପ୍ରେସ୍‌ର ଦ୍ୱିତୀୟ ଶ୍ରେଣୀ ଏସି ବଗିର ବି-୧ କୋଚ୍‌ରେ ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିଲେ। ୨୮ତାରିଖ (ରବିବାର) ରାତି ପ୍ରାୟ ତିନିଟା ସମୟରେ କୋଣାର୍କ ଏକ୍ସପ୍ରେସ୍‌ ଥାନେ ଷ୍ଟେସନରେ ପହଞ୍ଚିଥିଲା। ଏହି ସମୟରେ କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଉଥିବା ବେଳେ ପ୍ଲାଟଫର୍ମରେ କିଛି ଲୋକ ଠିଆ ହୋଇଥିଲେ। ପ୍ଲାଟଫର୍ମରୁ ଜଣେ ବ୍ୟକ୍ତି ଏହି ସମୟରେ ଟ୍ରେନ୍‌ ମଧ୍ୟକୁ ପଶି ଆସିଥିଲେ। ଆଉ ଦାନ୍ତ ଘଷିବା ପାଇଁ ଯୁବତୀ ଜଣଙ୍କ ଓ୍ଵାସ୍‌ ବେସିନ୍‌ ନିକଟକୁ ଯାଇଥିବା ବେଳେ ତାଙ୍କ ସହିତ ଅସଦାଚରଣ ଉଦ୍ୟମ କରିଥିଲେ। ଉକ୍ତ ବ୍ୟକ୍ତିର ମନ୍ଦ ଉଦ୍ଦେଶ୍ୟ ସମ୍ପର୍କରେ ଅନୁମାନ କରି ଯୁବତୀ ଜଣଙ୍କ ସାହାଯ୍ୟ ପାଇଁ ତାଙ୍କ ଭଉଣୀକୁ ପାଟି କରି ଡାକିଥିଲେ। ତେବେ ବଗି ଭିତରେ ଥିବାରୁ ସେ ଏହା ଶୁଣି ପାରିନଥିଲେ।

ମାତ୍ର ନିକଟରେ ବସିଥିବା ଏକ ପରିବାର ଏହି ଚିତ୍କାର ଶୁଣି ତାଙ୍କ ନିକଟରେ ପହଞ୍ଚିଥିଲେ। ଏହା ଦେଖି ଅଭିଯୁକ୍ତ ଜଣଙ୍କ ଚଳନ୍ତା ଟ୍ରେନ୍‌ରୁ ଡେଇଁ ଫେରାର ହୋଇ ଯାଇଥିଲା। ପରେ ଏହି ଅଘଟଣ ସମ୍ପର୍କରେ ଯୁବତୀ ଜଣଙ୍କ ଟୁଇଟର୍‌ ମାଧ୍ୟମରେ ସୂଚନା ଦେଇଥିଲେ। ଏହି ସୂଚନାକୁ ଆଧାର କରି ମୁମ୍ବାଇ ପୁଲିସ୍‌ କମିଶନର ତାଙ୍କୁ ଯୋଗାଯୋଗ କରିଥିଲେ। ଥାନେ ଜିଆର୍‌ପି ଷ୍ଟେସନରେ ଏ ନେଇ ଏକ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ଘଟଣା ମହିଳା ରେଳଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.