ନୂଆଦିଲ୍ଲୀ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ଘଟଣା ଥମି ନଥିବା ବେଳେ ଝାଡ଼ଖଣ୍ଡର ଗଢ଼ୱାରୁ ସେମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବିବାହର ମାତ୍ର ମାସକ ପରେ ସ୍ୱାମୀଙ୍କ ଖାଦ୍ୟରେ ବିଷ ମିଶାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ଯୁବକଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ସୋମବାର ସନ୍ଧ୍ୟାରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ ହେପାଜତକୁ ନେଇଛି। ଆଜି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି।
ମୃତକ ମା’ ରାଜମତୀ ଦେବୀଙ୍କ ଅଭିଯୋଗ ଅନୁଯାୟୀ, ଗଢ଼ୱା ଜିଲ୍ଲାର ରାଙ୍କା ଥାନା ଅଞ୍ଚଳର ବାହୋକୁନ୍ଦର ଗ୍ରାମର ବାସିନ୍ଦା ବୁଧନାଥ ସିଂହଙ୍କ ବିବାହ ୨୦୨୫ ମଇ ୧୧ ତାରିଖରେ ଛତିଶଗଡ଼ର ରାମଚନ୍ଦ୍ରପୁର ଥାନା ଅଞ୍ଚଳର ବିଷୁନପୁର ଗ୍ରାମର ବାସିନ୍ଦା ରଘୁନାଥ ସିଂହଙ୍କ ଝିଅ ସୁନୀତାଙ୍କ ସହିତ ହୋଇଥିଲା।
ବିବାହର ଗୋଟିଏ ଦିନ ପରେ ସୁନୀତା ଶରୀର ଅସୁସ୍ଥ ଅଛି ବାପଘର କଥା ମନେ ପଡ଼ୁଛି କହି ଶାଶୁଘରୁ ଚାଲି ଆସିଥିଲେ। ବାପ ଘରେ ପହଞ୍ଚିବା ପରେ ରଘୁନାଥ ସିଂହ ତାଙ୍କର ପସନ୍ଦ ନୁହନ୍ତି ସେ ଆଉ ଶାଶୁଘରକୁ ଯିବେ ନାହିଁ ବୋଲି ଘରେ ରୋକଠୋକ ମନା କରି ଦେଇଥିଲେ।
ଉଭୟ ପରିବାରର ଲୋକମାନେ କିନ୍ତୁ ଏହି ସମ୍ପର୍କକୁ ବଜାୟ ରଖିବାକୁ ଚାହୁଁଥିଲେ। ତେଣୁ ଗତ ଜୁନ୍ ୫ ତାରିଖରେ ଉଭୟ ପରିବାର ମଧ୍ୟରେ ଏକ ପଞ୍ଚାୟତ ବସିଥିଲା । ଏହି ପଞ୍ଚାୟତରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ୱାମୀ ରଘୁନାଥ ସ୍ତ୍ରୀ ସୁନୀତାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ।
ଅଭିଯୋଗ ହୋଇଛି ଯେ ଜୁନ୍ ୧୫ ରାତିରେ ସୁନୀତା ତାଙ୍କ ସ୍ୱାମୀଙ୍କ ଖାଦ୍ୟରେ କୀଟନାଶକ ମିଶାଇ ଦେଇଥିଲେ। ପରଦିନ ସକାଳେ ରଘୁନାଥ ଅନେକ ସମୟ ବିତି ଯାଇଥିଲେ ସୁଦ୍ଧା ଉଠି ନଥିଲେ। ପରିବାର ସଦସ୍ୟମାନେ ସୁନୀତାକୁ ଘରେ ଖୋଜିବା ସହିତ ରଘୁନାଥଙ୍କୁ ଉଠାଇବାକୁ ଯାଇଥିଲେ। ଏହି ସମୟରେ ବିଛଣାରେ ପୁଅ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ପରିବାରଲୋକ ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ସୁନୀତାଙ୍କୁ ଖୋଜା ପଡ଼ିଥିଲା କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା।