ମହିଳାଙ୍କ ଦବଙ୍ଗଗିରି ! ଟୋଲ୍ ଟ୍ୟାକ୍ସ ମାଗିବାରୁ ଟୋଲ ବୁଥ୍ କର୍ମଚାରୀଙ୍କ ଚୁଟି ଟାଣି ନିର୍ଧୁମ୍ ପିଟିଲେ
ଚଣ୍ଡିଗଡ଼ : ହରିୟାଣାରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କର ଦବଙ୍ଗଗିରି । ହରିୟାଣାର ବାହାଦୁର୍ଗଡ଼ରେ ଥିବା ଏକ ଟୋଲ ବୁଥ୍ରେ ମହିଳା ଜଣେ କର୍ମଚାରୀଙ୍କୁ ଘୋଷାରି ଆଣି ମାଡ଼ ମାରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଟୋଲ୍ ବୁଥ୍ରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ୍ ହୋଇଥିବା ବେଳେ ମହିଳା ଜଣକ ଟୋଲ୍ ବୁଥ୍ କର୍ମଚାରୀଙ୍କ ଚୁଟି ଭିଡ଼ିବା ସହ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରୁଥିବାରୁ ଦେଖିବାକୁ ମିଳୁଛି । ଏଥିରେ ମହିଳାଙ୍କୁ ଆଉ ଜଣେ ଯୁବକ ସହଯୋଗ କରୁଥିଲେ । କର୍ମଚାରୀଙ୍କୁ ମାଡ଼ ମାରି ଟୋଲ୍ ବୁଥ୍ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଅନ୍ୟ ଲୋକ ଅଟକାଇବାରୁ ସେ ବାହାରି ଆସିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଲା, ସେଠାରେ ଜଣେ ଟ୍ରାଫିକ୍ ପୁଲିସ ଥାଇ ମଧ୍ୟ ସେ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ । ସୂଚନା ମୁତାବକ, ମହିଳା ଜଣଙ୍କ ତାଙ୍କ ପରିବାର ସହ ଏକ କାର୍ ବାହାଦୁର୍ଗଡ଼ରେ ଥିବା ଟୋଲ୍ ବୁଥ୍ ଦେଇ ଯାଉଥିଲେ । ଏହି ସମୟରେ ଟୋଲ୍ ବୁଥ୍ କର୍ମଚାରୀ ଟୋଲ ଆଦାୟ କରିବା ପାଇଁ ତାଙ୍କ ଗାଡ଼ିକୁ ଅଟକାଇଥିଲେ । କିନ୍ତୁ ମହିଳା ଜଣଙ୍କ ଟୋଲ ଦେବା ପାଇଁ ସଫା ସଫା ମନା କରି ଦେଇଥିଲେ । ବିନା ଟୋଲ ଦେଇ ଯିବାକୁ ବସିଥିବା ବେଳେ ଟୋଲ୍ ବୁଥ୍ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ଏଥିରେ ମହିଳା ଜଣଙ୍କ ରାଗି ଯାଇ ଏପରି କରିଥିବା ଜଣାପଡ଼ିଛି ।