ନୂଆଦିଲ୍ଲୀ : ହରିୟାଣାର ହିସାରରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବୃଦ୍ଧା ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଦେଖିବାକୁ ମିଳୁଛି। ବୃଦ୍ଧଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତି ଅନ୍ୟ କେହି ନୁହନ୍ତି ବରଂ ମହିଳାଙ୍କ ନିଜ ଝିଅ।
ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ଭାଇ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୋ ମାଆକୁ ବନ୍ଧକ ରଖାଯାଇଛି ଏବଂ ତାଙ୍କ ନାମରେ ସମ୍ପତ୍ତି ହସ୍ତାନ୍ତର କରିବା ପାଇଁ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଛି। ’
ଅଭିଯୁକ୍ତ ମହିଳାଙ୍କ ନାମ ରୀତା ବୋଲି ଚିହ୍ନଟ କରାଯାଇଛି। ତାଙ୍କୁ ତାଙ୍କ ମାଆ ନିର୍ମଳା ଦେବୀଙ୍କ ସହ ଏକ ବିଛଣାରେ ବସିଥିବାର ଦେଖିବାକୁ ମିଳୁଛି। ରୀତାଙ୍କ ସାମ୍ନାରେ ବସି ମା’ ନିର୍ମଳା ଭୋଭୋ ହୋଇ କାନ୍ଦୁଛନ୍ତି। ମାଆଙ୍କୁ ଗାଳି ଦେବା ପରେ ରୀତା ତାଙ୍କ ମା’ଙ୍କ ଗୋଡକୁ ଜୋରରେ ଆଘାତ ଦେବା ସହ ଜଙ୍ଘକୁ କାମୁଡ଼ି ଦେଇ କହୁଛନ୍ତି, ‘ତୁମେ କ’ଣ ସବୁଦିନ ପାଇଁ ବଞ୍ଚିବ।’
ରୀତାଙ୍କ ଭାଇ ଅମରଦୀପ ସିଂହ ତାଙ୍କ ଅଭିଯୋଗରେ କହିଛନ୍ତି,‘ ମୋ ଭଉଣୀ ଦୁଇ ବର୍ଷ ପୂର୍ବେ ରାଜଗଡ଼ ନିକଟସ୍ଥ ଏକ ଗାଁରେ ରହୁଥିବା ସଞ୍ଜୟ ପୁନିଆଙ୍କୁ ବିବାହ କରିଥିଲା, କିନ୍ତୁ କୌଣସି କାରଣରୁ ସେ ଶାଶୁଘରେ ନରହି ମା’ଙ୍କ ପାଖକୁ ଚାଲି ଆସିଥିଲା। କିଛିଦିନ ମାଆଙ୍କ ଘରେ ରହିବା ପରେ ସମ୍ପତ୍ତି ପାଇଁ ହଇରାଣ କରିବା ଆରମ୍ଭ କରିଥିଲା ଏବଂ ତାର ସ୍ୱାମୀଙ୍କୁ ମା’ ସହିତ ରହିବାକୁ ବାଧ୍ୟ କରିଥିଲା। ମା’ର ସମସ୍ତ ସମ୍ପତ୍ତିକୁ ନିଜ ନାମରେ କରିବାକୁ ଚାପ ପକାଇଉଥିଲା। ମୁଁ ମା’ ପାଖକୁ ଆସିଲେ ମୋତେ ମିଥ୍ୟା ମାମଲାରେ ଫସାଇ ଦେବ ବୋଲି ଧମକ ବି ଦେଉଥିଲ।’
ଆଜାଦ ନଗର ପୁଲିସ ଷ୍ଟେସନର ଇନ୍ସପେକ୍ଟର ସାଧୁରାମ କହିଛନ୍ତି,‘ ଯେ ରୀତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ ୨୦୦୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।