ରୋହତକ୍: ହରିୟାଣାର ଜିନ୍ଦ୍ ଜିଲ୍ଲାରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ନିଜ ବାପାଙ୍କ ଲାଇସେନ୍ସ୍ପ୍ରାପ୍ତ ରିଭଲ୍ଭର୍ରେ ଗୁଳି ଫୁଟାଇ ରବିବାର ଦିନ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହୁଛି।
ମୃତ ଛାତ୍ରୀଜଣକ ହେଉଛନ୍ତି ସିଓ୍ଵାହା ଗାଅାଁର ଅଞ୍ଜଳି କୁମାରୀ। ଜିନ୍ଦ୍ ଅନ୍ତର୍ଗତ ପିଲୁ ଖେରା ସହରସ୍ଥିତ ଇଣ୍ଡସ୍ ପବ୍ଲିକ୍ ସ୍କୁଲ୍ରେ ସେ ପଢୁଥିଲେ।
ପୁଲିସ କହିଛି, ଅଞ୍ଜଳି ଗାଁ ସରପଞ୍ଚ ବେଦପାଲ ସିଂହଙ୍କର କନ୍ୟା।
ଶନିବାର ଦିନ ଏକାଦଶ ଶ୍ରେଣୀର ପରୀକ୍ଷା ରେଜଲ୍ଟ୍ ବାହାରିଥିଲା ଏବଂ ସେଥିରେ ସେ ପ୍ରଥମ ହୋଇ ପାରି ନ ଥିଲେ। ପରୀକ୍ଷାରେ ଭଲ ନମ୍ବର ରଖିଥିଲେ ମଧ୍ୟ ସେ ଶ୍ରେଣୀରେ ପ୍ରଥମ ହୋଇ ନ ପାରି ବଡ଼ ବିବ୍ରତ ହୋଇ ପଡ଼ିଥିଲେ ବୋଲି ତାଙ୍କର ବାପା ମାଆ କହିଛନ୍ତି।
ରବିବାର ସକାଳେ ପରିବାର ଲୋକେ ପାଖ ଗାଅାଁକୁ ଯାଇଥିବା ବେଳେ ଅଞ୍ଚଳି ଫୋନ୍ କରି ବାପାଙ୍କୁ ଶୀଘ୍ର ଘରକୁ ଫେରି ଆସିବାକୁ କହିଥିଲେ। ସେ ଘରକୁ ଫେରି ଦେଖନ୍ତି ତ ବାଥ୍ ରୁମ୍ ମଧ୍ୟରେ ଅଞ୍ଜଳି ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ସେତେବେଳକୁ ସେ ମରି ଯାଇଥିଲେ। ବ୍ୟବଚ୍ଛେଦ ପରେ ଶବ ତାଙ୍କ ପରିବାର ବର୍ଗଙ୍କୁ ଅର୍ପଣ କରାଯାଇଥିଲା।
ବାପା ବେଦପାଲଙ୍କ କଥାକୁ ଉଦ୍ଧାର କରି ପୁଲିସ କହୁଛି, ଅଞ୍ଜଳି ପରୀକ୍ଷା ଫଳ ଯୋଗୁଁ ବିବ୍ରତ ହୋଇ ପଡ଼ିଥିଲେ ମଧ୍ୟ ଆଗାମୀ ପରୀକ୍ଷାରେ ଭଲ କରିବେ ବୋଲି ଆଶାବାଦୀ ଥିଲେ।