ମା’ଙ୍କ ସହ ଅନୈତିକ ସଂପର୍କ ଥିବା ସନ୍ଦେହରେ ଯୁବକଙ୍କୁ ୨୨ଥର ଛୁରୀ ଭୁସି ହତ୍ୟା କଲା ପୁଅ

ନୂଆଦିଲ୍ଲୀ : ମା’ଙ୍କ ସହ ଅନୈତିକ ସଂପର୍କ ଥିବା ସନ୍ଦେହରେ ଜଣେ ପୁଅ ଅନ୍ୟ ଜଣେ ଯୁବକକୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟାକରିଛି। ତେବେ ମା’ଙ୍କ ସହ ଯୁବକର ସଂପର୍କ ଅଛି କି ନାହିଁ ସେ ବିଷୟରେ ଜାଣିବାକୁ ଚେଷ୍ଟା ନ କରି ଘରକୁ ଆସୁଥିବା ଯୁବକଙ୍କୁ ୨୨ଥର ଛୁରୀ ଭୁସି ହତ୍ୟା କରିଛି ପୁଅ । ଏହି ଅପରାଧରେ ଅଭିଯୁକ୍ତ ନିଜ ଦୁଇ ଜଣ ସାଙ୍ଗଙ୍କ ସହାୟତା ନେଇଥିବା ଜଣା ପଡ଼ିଛି । ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିିଛି । ଅଭିଯୁକ୍ତମାନେ ହେଲେ ଅମନ(୨୦),ଆଶିଷ(୨୧) ଏବଂ ସାହିଲ(୧୯)। ଘଟଣାଟି ଏପ୍ରିଲ ୧୭ରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଘଟିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ହତ୍ୟାର ଶିକାର ହୋଇଥିବା ରାଜୁ ଅମନଙ୍କ ଘରକୁ ତାଙ୍କ ମା’ଙ୍କୁ ଦେଖା କରିବାକୁ ଆସୁଥିଲେ । ସବୁଦିନ ଏପରି ହେବାରୁ ଅମନ ରାଗି ଯାଇ ରାଜୁଙ୍କୁ ଗାଳି ଦେବା ସହ ତାଙ୍କ ଘରକୁ ନ ଆସିବା ପାଇଁ କହିଥିଲେ । କିନ୍ତୁ ରାଜୁ ଅମନଙ୍କ କଥା ନମାନି ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ଏଥିରେ ରାଗି ଯାଇ ଅମନ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ମିଶି ରାଜୁଙ୍କୁ ମାରିବାର ଯୋଜନା କରିଥିଲେ । ଏପ୍ରିଲ ୧୭ ତାରିଖ ଦିନ ରାଜୁ ଘରକୁ ଫେରୁଥିବା ବେଳେ ବୀର୍‌ ବାବା ମଜାର ପାଖରେ ଅମନ ଏବଂ ତାଙ୍କ ଦୁଇ ଜଣ ସାଙ୍ଗ ରାଜୁଙ୍କୁ ଆକ୍ରମଣ କରିଥିଲେ । ୨୨ଥର ଛୁରୀ ଭୁସିବା ପରେ ରାଜୁ ସେଇଠି ଟଳି ପଡ଼ିଥିଲେ ।

Daily Express

ରାଜୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଏ ନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜୁଙ୍କୁ ଦିନ୍‌ ଦୟାଲ ଉପାଧ୍ୟାୟ ହସ୍ପିଟାଲ୍‌ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ତଦନ୍ତ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ତଦନ୍ତ ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର