ସତ୍ୟବାଦୀରେ ପ୍ରେମ, ଚନ୍ଦକାରେ ହତ୍ୟା

ପିଶାଚ ପ୍ରେମିକର ଲୋମଟାଙ୍କୁରା ହତ୍ୟାକାଣ୍ଡ

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରେ ଘଟିଛି ଛାତି ଥରାଇ ଦେଲା ଭଳି ଏକ ନୃଶଂସ ହତ୍ୟାକାଣ୍ଡ। ପ୍ରେମ ସଂପର୍କକୁ ଆଗକୁ ବଢାଇବାକୁ ଚାହୁଁନଥିବା ପ୍ରେମିକ ଯୁଧିଷ୍ଠିର ସ୍ବାଇଁ (୩୫) ନିଜ ପ୍ରେମିକା ସସ୍ମିତା ବିଶ୍ବାଳ (୨୫)ଙ୍କୁ ଘରୁ ଡାକି ନେଇ ଅତି ବୀଭତ୍ସ ଭାବେ ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରେମିକାର ତଣ୍ଟି କାଟି ହତ୍ୟା କରିବା ପରେ ଭୁବନେଶ୍ବର ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିବା କଥା ସ୍ବୀକାର କରିଛି ଧୋକାବାଜ ପ୍ରେମିକ ଯୁଧିଷ୍ଠିର। ସତ୍ୟବାଦୀ ପୁଲିସ ଆଜି ଅଭିଯୁକ୍ତ ଯୁଧିଷ୍ଠିରକୁ ସାଥୀରେ ନେଇ ଚନ୍ଦକା ଥାନା ମଳିପଡ଼ା କ୍ରିଷ୍ଣାପୁରୀ କଲୋନି ନିକଟ ଓସ୍ତମଡ଼ା ଜଙ୍ଗଲ ଭିତରୁ ମୃତା ସସ୍ମିତାର ମୁଣ୍ଡ ଓ ଗଣ୍ଡିକୁ ପୃଥକ ଭାବେ ଜବତ କରିଛି। ପୁରୀ ସତ୍ୟବାଦୀ ଥାନା ଗୋଲ ବିଞ୍ଝେଇପଡ଼ା ଗାଁର କିଶୋର ବିଶ୍ବାଳଙ୍କ ଝିଅ ସସ୍ମିତା (୨୫)ଙ୍କୁ ଡେଲାଙ୍ଗ ଥାନା କୁଂଜର ଗାଁର ସ୍ବର୍ଗତ ସିଦ୍ଧେଶ୍ବର ସ୍ବାଇଁଙ୍କ ପୁଅ ଯୁଧିଷ୍ଠିର ସ୍ବାଇଁ (୩୫) ଭଲ ପାଉଥିଲେ। ମାତ୍ର ଯୁଧିଷ୍ଠିରଙ୍କ ମା’ ଝାମ୍ପି ସ୍ବାଇଁ ସସ୍ମିତାଙ୍କୁ ବୋହୂ କରିବାକୁ ରୋକ୍‌ଠୋକ ମନା କରିଦେଇଥିଲେ। ତେଣୁ ପୁରୀ ଅଦାଲତରେ ବିବାହ କରିବାକୁ ସେମାନେ ଆବେଦନ କରି ସାରିଥିଲେ। ଏହା ଭିତରେ ସସ୍ମିତା କୁଆଡ଼େ ଗର୍ଭବତୀ ହୋଇ ସାରିଥିଲେ। ତେଣୁ ତୁରନ୍ତ ବିବାହ କରିବାକୁ ସେ ଯୁଧିଷ୍ଠିର ଉପରେ ଚାପ ପକାଇ ଚାଲିଥିଲେ। ଗତ ୧୩ ତାରିଖରେ ଯୁଧିଷ୍ଠିର ତାଙ୍କୁ ନେଇ ଘରକୁ ଯିବା ବେଳେ ମା’ ଝାମ୍ପି ଘର ଦୁଆର ବନ୍ଦ କରିଦେବା ସହ ଦୁହିଁଙ୍କୁ ଘରେ ପୂରାଇ ଦେଇନଥିଲେ। ତେଣୁ ବାଧ୍ୟ ହୋଇ ଯୁଧିଷ୍ଠିର ସସ୍ମିତାଙ୍କୁ ନେଇ ଭୁବନେଶ୍ବର ଚାଲି ଆସିଥିଲା। ଖଣ୍ଡଗିରି ଅଞ୍ଚଳରେ ଗାଡ଼ି ଚାଳକ ଭାବେ କାମ କରୁଥିବାରୁ ସେ ସେ‌ଠା‌ରେ ଭଡ଼ାଘର ନେଇ ରହିବ ବୋଲି ସସ୍ମିତାଙ୍କୁ ବୁଝାଇଥିଲା। କିନ୍ତୁ ଭୁବନେଶ୍ବର ଆସିବା ବାଟରେ ତା’ ମୁଣ୍ଡରେ ଭୂତ ପଶିଥିଲା।

ସସ୍ମିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସେ ମନେ ମନେ ସ୍ଥିର କରି ସାରିଥିଲା। ଖଣ୍ଡଗିରିରେ ପହଞ୍ଚିବା ବେଳକୁ ରାତି ହୋଇ ସାରିଥାଏ। ଏହାପରେ ସେ ଶ୍ୟାମପୁର ରାସ୍ତାରେ ମଳିପଡ଼ା କ୍ରିଷ୍ଣାପୁରୀ ଯାଇଥିଲା। ଖଣ୍ଡଗିରି ଅଞ୍ଚଳରେ ଦୀର୍ଘ ଦିନ ଚଳିଥିବାରୁ ତାକୁ ଏହି ନିଛାଟିଆ ଜଙ୍ଗଲିଆ ରାସ୍ତା ଜଣାଥିଲା। କ୍ରିଷ୍ଣାପୁରୀ ନ ଯାଇ ସେ ବାଟ ଭାଙ୍ଗିଥିଲା ଓସ୍ତମଡ଼ା ଜଙ୍ଗଲ ଭିତରକୁ। ପ୍ରଥମେ ସସ୍ମିତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା‌। ତେବେ କାଳେ ବଂଚିଯିବ ଭାବି ମାରଣାସ୍ତ୍ରରେ ତାର ମୁଣ୍ଡ କାଟି ଦେଇଥିଲା ବୋଲି ଅଭିଯୁକ୍ତ ଯୁଧିଷ୍ଠିର ପୁଲିସ ଆଗରେ ସ୍ବୀକାର କରିଥିବା ଜଣାପଡିଛି। ଗତ ୧୩ ତାରିଖରୁ ସସ୍ମିତା ଘରୁ ନିଖୋଜ ହୋଇଥିଲେ ବି ବାପା କିଶୋର ୧୫ ତାରିଖରେ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଡେଲାଙ୍ଗ କୁଂଜର ଗାଁକୁ ଯାଇ ଯୁଧିଷ୍ଠିରଙ୍କୁ ଖୋଜିଥିଲା, ମାତ୍ର ପାଇନଥିଲା। କିନ୍ତୁ ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ୧୩ ତାରିଖ ସନ୍ଧ୍ୟାରେ ଯୁଧିଷ୍ଠିର ଓ ସସ୍ମିତା ଘରକୁ ଆସିଥିଲେ ଓ ମା ଝାମ୍ପି ସେମାନଙ୍କୁ ଘରେ ପୂରାଇ ଦେଇନଥିଲେ। ତେଣୁ ଝାମ୍ପି ସବୁ ଜାଣିଛନ୍ତି ବୋଲି ପୁଲିସ ୧୯ ତାରିଖ ସକାଳେ ତାଙ୍କୁ ଥାନାକୁ ଧରି ନେଇଯାଇଥିଲା। ମା’ ଗିରଫ ହେବା କଥା ଜାଣିବା ପରେ ଯୁଧିଷ୍ଠିର ଆତ୍ମଗୋପନ ଛାଡ଼ି ଥାନାରେ ଆତ୍ମସମର୍ପଣ କରିଥିଲା ଏବଂ ପୁଲିସ ଆଗରେ ସବୁ ସତ ଉଗାଳିଥିଲା।

ଆଜି ସକାଳୁ ପିପିଲି ଏସ୍‌ଡିପିଓ ଦିଲ୍ଲୀପ ତ୍ରିପାଠୀ, ସତ୍ୟବାଦୀ ଥାନା ଆଇଆଇସି ରବୀନ୍ଦ୍ର ନନ୍ଦ, ଚନ୍ଦନପୁର ଥାନା ଅଧିକାରୀ ଗିରିଜା ପଟ୍ଟନାୟକ ପ୍ରମୁଖ ଅଭିଯୁକ୍ତ ଯୁଧିଷ୍ଠିରକୁ ଧରି ଚନ୍ଦକା ଯାଇଥିଲେ। ସେଠାରେ ଚନ୍ଦକା ଥାନା ପୁଲିସ ସହଯୋଗରେ ମଳିପଡ଼ା ଜଙ୍ଗଲରୁ ସସ୍ମିତାଙ୍କ ଗଳିତ ମୁଣ୍ଡବିହୀନ ଶରୀର ଓ ପରେ ମୁଣ୍ଡକୁ ଅଲଗା ଅଲଗା ସ୍ଥାନରୁ ଉଦ୍ଧାର କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତ ସସ୍ମିତାକୁ କେଉଁ ବାଟ ଦେଇ ଆଣିଥିଲା, କେଉଁଠୁ ଛୁରୀ କିଣିଥିଲା, କେମିତି ହତ୍ୟା କରିଥିଲା, ମୁଣ୍ଡଗଣ୍ଡି ଓ ପୋଷାକକୁ କେଉଁଠି ଫିଙ୍ଗିଥିଲା ସବୁ କଥା ଟିକିନିକି ବଖାଣିଥିଲା। ତେବେ ଘଟଣାସ୍ଥଳରେ ବହୁ ଖୋଜାଖୋଜି ସତ୍ତ୍ବେ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ପାଇନାହିଁ। ପରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା।

ସମ୍ବନ୍ଧିତ ଖବର