ସମ୍ଭ୍ରାନ୍ତ ବେଶରେ ଲୁଟୁଥିଲେ: ଧରିଲେ, ଛେଚିଲେ, ପୁଲିସରେ ଦେଲେ

ସମ୍ଭ୍ରାନ୍ତ ବେଶରେ ଲୁଟୁଥିଲେ

ଭୁବନେଶ୍ବର: ବେଶ ପୋ‌ଷାକକୁ ଦେଖିଲେ କେହି ବିଶ୍ବାସ କରିବେନି ସେମାନେ ଲୁଟେରା ବୋଲି। ସମ୍ଭ୍ରାନ୍ତ ବେଶ ପୋ‌ଷାକ, ମାର୍ଜିତ କଥାବାର୍ତା ଓ ଭଦ୍ର ବ୍ୟବହାର। ସେମାନଙ୍କ କଥାରେ ଦୋକାନୀମାନେ ଏମିତି ଭଳି ଯା’ନ୍ତି ଯେ ଭଲ ଗରାଖ ଭାବି ଜିନିଷ ଦେଖାନ୍ତି। ତାପରେ ଆରମ୍ଭ ହୋଇଯାଏ ସେମାନଙ୍କ ଅସଲ କାରନାମା। ସୁଯୋଗ ଦେଖି ନେଇଯାନ୍ତି ଦାମୀ ମୋବାଇଲ୍‌ ଓ ସୁନା ଗହଣା। ଏପରି ଜଣେ ଅଣ ଓଡ଼ିଆ ଲୁଟେରାକୁ କାବୁ କରିଛନ୍ତି ସ୍ଥାନୀୟ ବାପୁଜୀନଗରର କିଛି ବ୍ୟବସାୟୀ। ସେମାନେ ତାକୁ ମାଡ଼ ମାରି କ୍ୟାପିଟାଲ୍‌ ଥାନା ପୁଲିସରେ ଦେଇଛନ୍ତି। ତେବେ ତାର ଅନ୍ୟ ସହଯୋଗୀଙ୍କୁ ଖୁବ୍‌ ଶୀଘ୍ର କାବୁ କରାଯିବ ବୋଲି ପୁଲିସ କହିଛି। ସୂଚନା ମୁତାବକ, ଗତ ୩ମାସ ଲୁଟେରା ଓ ତାର ୩ ସହଯୋଗୀ ମୋବାଇଲ୍‌ ଲୁଟ୍‌ପାଟ୍‌ ପାଇଁ ସହିଦନଗର ଓ ବାପୁଜୀନଗରରେ ଥିବା ବଡ଼ ସୋରୁମ୍‌କୁ ଟାର୍ଗେଟ୍‌ କରିଥିଲେ। ଏପରି ବେଶ ପୋଷାକରେ ଦୋକାନକୁ ଆସୁଥିଲେ ଯେ ସେମାନଙ୍କୁ ଦେଖିଲେ ସମ୍ଭ୍ରାନ୍ତ ପରିବାରର ପିଲାଭଳି ଲାଗୁଥିଲେ। ଦେଖିଲେ କେହି ସେମାନଙ୍କୁ ସହଜରେ ଲୁଟେରା ବୋଲି କଳନା ବି କରିପାରିବେନି। ଲୁଟେରାମାନେ ସୋରୁମ୍‌ରେ ପଶି ମୋବାଇଲ୍‌ ଦେଖିବାକୁ ମାଗୁଥିଲେ। ଦୋକାନରେ ଭିଡ଼ ଦେଖି ଚତୁରତାର ସହ ମୋବାଇଲ୍‌ ନେଇଯାଉଥିଲେ। ଖାଲି ସେତିକି ନୁହେଁ ଆଉ ଏକ ଭିନ୍ନ ଉପାୟରେ ମଧ୍ୟ ଲୁଟ୍‌ କରୁଥିଲେ ଏହି ଲୁଟେରା ଦଳ। ଦୋକାନୀଙ୍କୁ ଦାମୀ ମୋବାଇଲ୍‌ ମାଗୁଥିଲେ। ମୋବାଇଲ୍‌ ନେବା ପରେ ସେମାନଙ୍କ ପାଖରେ ଟଙ୍କା ନଥିବା କହି ଡଲାର୍‌ରେ ପେମେଣ୍ଟ କରିବାକୁ କହୁଥିଲେ। ଏଥିପାଇଁ ସେମାନେ ନିଜ ମୋବାଇଲ୍‌ରେ ଏକ ସ୍ବତନ୍ତ୍ର ଆପ୍‌ ରଖିଥିଲେ। ଦୋକାନୀଠାରୁ ମୋବାଇଲ୍‌ ନେବା ପରେ ଆପ୍‌ରୁ ଦୋକାନୀଙ୍କ ଆକାଉଣ୍ଟକୁ ଡଲାର୍‌ରେ ଟଙ୍କା ଟ୍ରାନ୍ସଫର୍‌ କରୁଥିଲେ। ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ ହେବାର ଏକ ମେସେଜ୍ ଦେଖାଉଥିଲେ। ହେଲେ ପ୍ରକୃତରେ ଦୋକାନୀ ଟଙ୍କାଟେ ବି ପାଉ ନଥିଲେ। ଦିନେ ଦୁଇଦିନ ପରେ ଆକାଉଣ୍ଟକୁ ଟଙ୍କା ନ ଆସିବରୁ ଯୁବକମାନଙ୍କୁ କଲ୍‌ କରି ଟଙ୍କା ମାଗୁଥିଲେ। ହେଲେ ସେମାନେ କହୁଥିଲେ ଯେ ଏହା ଡଲାର୍‌, ଟଙ୍କାରେ କନ୍‌ଭର୍ଟ ହେବାକୁ ଟାଇମ୍‌ ଲାଗିବ। କିଛିଦିନ ପରେ ଟଙ୍କା ଆକାଉଣ୍ଟକୁ କ୍ରେଡିଟ୍‌ ହୋଇଯିବ। ଏହିପରି ଭାବରେ ସେମାନେ ଏକାଧିକ ଦୋକାନରୁ ମୋବାଇଲ୍‌ ଲୁଟିଥିଲେ। ଯୁବକମାନଙ୍କ ଲୁଟ୍‌ ବିଷୟରେ ଜାଣିବା ପରେ ଦୋକାନୀମାନେ ସେମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ସିସିଟିଭି ଫୁଟେଜ୍‌ରୁ ଫଟୋ ବାହାର କରି ଚିହ୍ନଟ କରିଥିଲେ। ବୁଧବାର ରାତିରେ କଟକ ସ୍ଥିତ ଏକ ସୁନା ଦୋକାନରୁ ସୁନା କିଣିବା ପାଇଁ ଯାଇଥିବା ବେଳେ ଦୋକାନୀ ଜଣଙ୍କ ଯୁବକଙ୍କୁ ଚିହ୍ନଟ କରିଥିଲେ। ତୁରନ୍ତ ଭୁବନେଶ୍ବରର ଜଣେ ମୋବାଇଲ୍‌ ଦୋକାନୀଙ୍କୁ ଜଣାଇଥିଲେ। ଦୋକାନୀ ଜଣଙ୍କ ତାକୁ ବାପୁଜୀନଗର ଆଣିଥିଲେ। ଅନ୍ୟ ଦୋକାନୀମାନଙ୍କୁ ଚିହ୍ନାଇବା ପରେ ଯୁବକଙ୍କ ଉପରେ ବର୍ଷିଥିଲା ମାଡ଼। ଶେଷରେ ତାକୁ କ୍ୟାପିଟାଲ ଥାନା ପୁଲିସରେ ଜିମା ଦେଇଥିଲେ। କ୍ୟାପିଟାଲ ଥାନା ପୁଲିସ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି। ତାର ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର