ହାଇୱେ ଲୁଟେରା ଗିରଫ

ଖଣ୍ଡଗିରି: ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍‌ ଉପରେ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ସହ ଲୁଟ୍‌ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ହାଇୱେ ଲୁଟେରାକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଯଦୁପୁର ଅଞ୍ଚଳର ଅବଦୁଲ୍‌ ହସିମ୍ ଖାଁ। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଅବଦୁଲ୍‌ର ଅନ୍ୟ ଦୁଇ ସହଯୋଗୀ ଫେରାର୍ ହୋଇ ଯାଇଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି। ସୂଚନାନୁସାରେ ଝାରପଡ଼ା ମଧୁରମୟୀ ଶିକ୍ଷାନିକେତନର ଅନ୍ତେବାସୀ ତଥା ରାଜଧାନୀ ଉପକଣ୍ଠସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ବିଘ୍ନରାଜ ବାଗ୍‌ ଶନିବାର ରାତିରେ କଲେଜ ବାର୍ଷିକୋତ୍ସବରୁ ବାଇକ୍‌ ଯୋଗେ ଆଶ୍ରମକୁ ଫେରୁଥିଲେ। ସେ ଆଇଗିଣିଆ ଓଭରବ୍ରିଜ୍‌ ଉପରେ ପହଞ୍ଚିଥିବାବେଳେ ଅବଦୁଲ୍‌ ଓ ଅନ୍ୟ ଦୁଇ ଜଣ ତାଙ୍କୁ ଅଟକାଇ ବାଇକ୍‌ ଓ ‌ମୋବାଇଲ୍ ଫୋନ୍‌ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡରି ନଯାଇ ବିଘ୍ନରାଜ ସେମାନଙ୍କୁ ପ୍ରତିରୋଧ କରିଥିଲେ। ଏହି ସମୟରେ ଅବଦୁଲ୍‌ ବିଘ୍ନରାଜଙ୍କ ମୁଣ୍ଡକୁ ହେଲମେଟ୍‌ରେ ଆଘାତ କରିଥିବାବେଳେ ଅନ୍ୟ ଜଣେ ଦୁର୍ବୃତ୍ତ ଏକ ବିଅର୍ ବୋତଲରେ ତାଙ୍କ ପିଠିକୁ ପିଟି ଦେଇଥିଲା। ଫଳରେ ବିଘ୍ନରାଜଙ୍କ ପିଠିରେ କ୍ଷତ ସୃଷ୍ଟି ହୋଇଥିଲା। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ପୁଣି ତାଙ୍କଠାରୁ ପର୍ସ, ମୋବାଇଲ୍ ଫୋନ୍‌ ଓ ବାଇକ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେତିକିବେଳେ କିଛି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଅବଦୁଲ୍‌କୁ କାବୁ କରି ବହେ ଛେଚିଥିଲେ। ମାତ୍ର ଅନ୍ୟ ଦୁଇ ଜଣ ବିଘ୍ନରାଜଙ୍କ ପର୍ସ ନେଇ ଚମ୍ପଟ ମାରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କଠାରୁ ଅବଦୁଲ୍‌କୁ ଉଦ୍ଧାର କରିବା ସହ ଆହତ ବିଘ୍ନରାଜଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନେଇଥିଲା।

ସମ୍ବନ୍ଧିତ ଖବର