ଖଣ୍ଡଗିରି/ଜଟଣୀ: ଖଣ୍ଡଗିରିରୁ ଖୋର୍ଧା ୧୬ନମ୍ବର ଜାତୀୟ ରାଜପଥରେ ଦୀର୍ଘ ଦିନ ହେବ ଲୁଟପାଟ୍ କରୁଥିବା ଏକ ଲୁଟେରା ଗ୍ୟାଙ୍ଗ୍ର ୪ଜଣଙ୍କୁ ପୁଲିସ ଗିରଫ କରିଛି। ପିତାପଲ୍ଲୀ ଛକରେ ଡକାୟତି ଉଦ୍ୟମ କରୁଥିବା ବେଳେ ଯାଁଳା ଫାଣ୍ଡି ପୁଲିସ ହାତରେ ଧରାପଡ଼ିଛି ଏହି ଗ୍ୟାଙ୍ଗ୍। ତେବେ ଚଢ଼ଉ ବେଳେ ଜଣେ ଦୁର୍ବୃତ୍ତ ବାଇକ୍ ସହ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଅଭିଯୁକ୍ତମାନେ ହେଲେ, ମଞ୍ଚେଶ୍ବର ଥାନା ନହରକଣ୍ଟାର ସତ୍ୟରଞ୍ଜନ ବେହେରା ଓରଫ୍ ଜିତୁ(୨୯), ଭୁବନେଶ୍ବରରେ ଏକ ଘରୋଇ ଇଂଜିନିୟରିଂ କଲେଜର ଡିପ୍ଲୋମା ଛାତ୍ର ତଥା ରାୟଗଡ଼ାର ପ୍ରତାପ କିଶୋର ପରିଡ଼ା ଓରଫ୍ ବଳିଆ(୧୯), ଜଗତସିଂହପୁରର ଅନୀଲ୍ ଓଝା(୨୭) ଓ ପଟିଆ ଶିଖରଚଣ୍ଡୀ ନିକଟ ମୁସ୍ଲିମ୍ ବସ୍ତିର ମହମ୍ମଦ ୱାଇଦୁର୍ ଖାଲିଦ(୨୬)। ପୁଲିସ ସେମାନଙ୍କ ନିକଟରୁ ୨ଟି କଟୁରି, ୨ଟି ବାଇକ୍ ଓ ୬ଟି ମୋବାଇଲ୍ ଜବତ କରିଛି। ପ୍ରାୟ ୬ ମାସ ପିଛା କରିବା ପରେ ପୁଲିସ ଏହି ଗ୍ୟାଙ୍ଗ୍ କୁ ଗିରଫ କରିବାରେ ସଫଳ ହୋଇଛି। ଗତ ଡିସେମ୍ବର ୨୮ ତାରିଖରେ ଜଗତପୁରରୁ ଅକ୍ସିଜେନ୍ ବୋଝେଇ ଟ୍ରକ୍ ନେଇ ଚାଳକ ବିଶ୍ବନାଥ ଦାସ ବ୍ରହ୍ମପୁର ଯାଉଥିଲେ। ଭୋର୍ ପ୍ରାୟ ୪ଟା ବେଳେ ଗାଡ଼ିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସେ ଯାଁଳା ଓଭରବ୍ରିଜ୍ ଉପରେ ଅଟକି ଯାଇଥିଲେ। ସେ ଗାଡ଼ି ମରାମତି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ୨ଟି ବାଇକ୍ରେ ଥିବା ୪ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ଭୁଜାଲିରେ ତାଙ୍କ ହାତକୁ ହାଣି ପର୍ସ ଓ ମୋବାଇଲ୍ ଛଡ଼ାଇ ଚମ୍ପଟ ମାରିଥିଲେ। ଏ ନେଇ ବିଶ୍ବନାଥ ଯାଁଳା ଫାଣ୍ଡିରେ ଅଭିଯୋଗ କରିଥିଲେ।
କୁଖ୍ୟାତ ହାଇୱେ ଲୁଟେରା ଗ୍ୟାଙ୍ଗ୍ ଠାବ, ଡିପ୍ଲୋମା ଇଂଜିନିୟରିଂ ଛାତ୍ର ସମେତ ୪ ଗିରଫ
/sambad/media/post_attachments/wp-content/uploads/2019/06/arrested-2.jpg)