ପ୍ରେମିକକୁ ଧରା ପକାଇଲା ଆଧାର କାର୍ଡ଼ : ମିସ୍ଡ୍ କଲ୍ରୁ ପ୍ରେମ କରି ଘରୁ ଲୁଚି ପଳାଉଥିବା ବେଳେ ପ୍ରେମିକର ନାଁ ଜାଣି ଉଡ଼ିଗଲା ପ୍ରେମିକାର ହୋସ୍
ଗୋରଖ୍ପୁର : ଉତ୍ତରପ୍ରଦେଶର ଗୋରଖ୍ପୁରରେ ପ୍ରେମକୁ ନେଇ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିସ୍ଡ଼ କଲରୁ ଆରମ୍ଭ ହୋଇଥିବା ପ୍ରେମର ଅନ୍ତ ଏଭଳି ହେବ ତାହା କେହି ଭାବି ନଥିଲେ । ଜଣେ ଅଜଣା ଯୁବକକୁ ଭଲ ପାଇ ବସି ନିଜ ପରିବାର ଲୋକଙ୍କୁ ଛାଡ଼ି ଚାଲି ଯାଉଥିବା ଯୁବତୀଙ୍କ ଆଗକୁ ସତ ଆସିବା ପରେ ତାଙ୍କର ହୋସ ଉଡ଼ି ଯାଇଥିଲା । ପ୍ରେମିକ ସହ ରହିବା ପାଇଁ ଦେଖିଥିବା ସ୍ୱପ୍ନ ସବୁ ଗୋଟିଏ ସେକେଣ୍ଡରେ ଭାଙ୍ଗି ଚୂରମାର୍ ହୋଇ ଯାଇଥିଲା । ପୁଲିସର ହସ୍ତକ୍ଷପ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ସୂଚନା ମୁତାବକ,ଫୋନ୍କୁ ମିସ୍ଡ଼ କଲ ଆସିବା ପରେ ଯୁବକ ଜଣଙ୍କ ନିଜକୁ ସୋନୁ ବୋଲି କହି କଥା ହୋଇଥିଲେ । କିଛି ଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଯୁବକ ଜଣକ ବିବାହ କରିବାକୁ ଚାହୁଁଛି ବୋଲି କହିବାରୁ ଦୁଇ ଜଣ ମିଶି ଘରୁ ଲୁଚି ପଳାଇବାର ଯୋଜନା କରିଥିଲେ । ଯିବା ବାଟରେ ପୁଲିସ କର୍ମଚାରୀ ଦୁଇ ଜଣଙ୍କୁ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିବାରୁ ଯୁବକ ଜଣଙ୍କ ନିଜ ପ୍ରେମିକାକୁ ଭଉଣୀ ବୋଲି କହି ଭଉଣୀର ଚିକିତ୍ସା କରିବାକୁ ଚେନ୍ନାଇ ଯାଉଛୁ ବୋଲି କହିଥିଲେ । ପୁଲିସକୁ ସନ୍ଦେହ ହେବାରୁ ଯୁବକଙ୍କ ଆଧାରକାର୍ଡ଼ ଦେଖିବା ପରେ ଯୁବକଙ୍କ ପ୍ରକୃତ ନାମ ସାମ୍ନାକୁ ଆସିଥିଲା । ଯୁବକ ଜଣଙ୍କ ହିନ୍ଦୁ ନୁହଁ ବରଂ ମୁସ୍ଲିମ୍ ବୋଲି ଜଣା ପଡ଼ିଥିଲା । ପ୍ରେମିକା ଯାହାକୁ ସୋନୁ ବୋଲି ଭାବୁଥିଲେ ସେ ପ୍ରକୃତରେ ଅମିନ୍ ଉଲ୍ ହକ୍ ବୋଲି ଜଣା ପଡ଼ିଥିଲା । ସତ ଜାଣିବା ପରେ ଯୁବତୀ ଜଣଙ୍କ ନିଜ ପ୍ରେମିକକୁ ଚପଲରେ ମାଡ଼ ମାରିବା ସହ ପୁଲିସ ଷ୍ଟେସନ ଯାଇ ଦୁଷ୍କର୍ମର ଅଭିଯୋଗ କରିଥିବା ଜଣାପଡ଼ିଛି ।