ଭୁବନେଶ୍ୱର: ପଥରଖଣି ମାଫିଆମାନଙ୍କ ସହିତ ଲିଙ୍କ୍ ରଖିବା ଅଭିଯୋଗରେ ଏସ୍ଟିଏଫ ମଙ୍ଗଳବାର ଜଣେ ହୋମ୍ଗାର୍ଡଙ୍କୁ ଗିରଫ କରିଛି। ଗିରଫ ହୋମ୍ଗାର୍ଡ ହେଲେ ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଅର୍ଜୁନପୁର ନିକଟ ନଳିପଡ଼ା ଗାଁର ସ୍ୱର୍ଗତ ଉଲ୍ଲାସ ବଡ଼ଜେନାଙ୍କ ପୁଅ ଚିତ୍ତରଞ୍ଜନ ବଡ଼ଜେନା (୩୮)। ବର୍ତ୍ତମାନ ସେ ଖୋର୍ଦ୍ଧା ଥାନାରେ କାର୍ଯ୍ୟରତ ଅଛନ୍ତି।
ପଥରଖଣି ମାଫିଆଙ୍କ ସହିତ ସଂପର୍କ ରଖିବା ନେଇ ଏସଟିଏଫକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ନାଁରେ ଥିବା ଜମିରେ ବେଆଇନ ଭାବେ ଚାଲିଥିବା ପଥରଖଣି ଖନନରେ ଚିତ୍ତରଞ୍ଜନଙ୍କ ଭୂମିକା ଥିବା ଏସ୍ଟିଏଫ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି। ଏସ୍ଟିଏଫ ଚିତ୍ତରଞ୍ଜନ ବଡ଼ଜେନାକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଘଟଣାର ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଥରଖଣି ମାଫିଆମାନଙ୍କର ଦୌରାତ୍ମ୍ୟ ବଢ଼ିଛି। ମଧ୍ୟ ରାତିରେ ମାଫିଆମାନେ ଖନନ କରି ପଥର ଚାଲାଣ କରୁଛନ୍ତି। ଏଥିରୁ ସେମାନେ ଭଲ ଟଙ୍କା ରୋଜଗାର କରୁଛନ୍ତି। ପୁଲିସ ପେଟ୍ରୋଲିଂ କରୁଥିଲେ ମଧ୍ୟ ଏହାକୁ ମାଫିଆମାନେ ଖାତିର କରୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bbsr1-1.jpg)