ଅମ୍ବାଲା ଜେଲରେ ବି ନିଜ ଫାଇଦାରେ ଅଛନ୍ତି  ରାମ ରହିମଙ୍କ ପାଳିତ କନ୍ୟା ହନିପ୍ରୀତ 

ଚଣ୍ଡିଗଡ଼: ବିବାଦୀୟ ଧର୍ମଗୁରୁ  ତଥା ଡେରା ସଚ୍ଚା ସୌଦାର ମୁଖ୍ୟ  ଗୁରମିତ ରାମରହିମଙ୍କ  ପାଳିତ କନ୍ୟା  ହନିପ୍ରୀତ ଇନସାନ ଏବେ  ଅମ୍ବାଲା ଜେଲରେ  ଡ୍ରେସ ଡିଜାଇନିଂ , ବ୍ଲକ୍‌ ପ୍ରିଣ୍ଟିଂ ଓ ବିଉଟି ଟିପ୍‌ସ କୋର୍ସ କରିବା ପାଇଁ ନିଜ ନାମ ଲେଖାଇଛନ୍ତି। ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ  ଗତ ଅଗଷ୍ଟ ୨୫ ତାରିଖରେ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୦ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ପରେ ତାଙ୍କ ଭକ୍ତ ଓ ଅନୁରାଗୀମାନେ ପଞ୍ଚକୁଳା ସହରରେ ଭୟଙ୍କର ହିଂସାକାଣ୍ଡ ଘଟାଇଥିଲେ। ଏହି ହିଂସାକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ୨୦୧୭ ମସିହା ଅକ୍ଟୋବର ୧୭ ତାରିଖରେ ଗିରଫ ହୋଇ ହନିପ୍ରୀତ ଇନସାନ  ଅମ୍ବାଲା ଜେଲରେ ଅଛନ୍ତି । ନିକଟରେ ଅମ୍ବଲାର ଏକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଅମ୍ବାଲା ଜିଲ୍ଲା ଆଇନ ପ୍ରାଧିକରଣ ସହଯୋଗରେ ଜେଲର ଅନ୍ତେବାସୀମାନଙ୍କୁ ବିଭିନ୍ନ  ଭାବେ ସେମାନଙ୍କ ଦକ୍ଷତା ବିକାଶ ପାଇଁ ତାଲିମ ଦେସବାକୁ ନିଷ୍ପତ୍ତି ନେଇଛନ୍ତି। ଏହି  ଜେଲରେ ଦିଆଯାଉଥିବା ତାଲିମକାର୍ଯ୍ୟକ୍ରମରେ ଡ୍ରେସ ଡିଜାଇନିଂ  ତାଲିିମ ନେବା ପାଇଁ ହନିପ୍ରୀତ ଇନସାନ ଓରଫ ପ୍ରିୟଙ୍କା  ତନେଜା ଇଛା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜେଲ ବିଭାଗର ଆଇଜି ଜଗଜୀତ ସିଂହ କହିଛନ୍ତି ଯେ କେବଳ ସଜା ଭୋଗୁଥିବା କଏଦୀମାନଙ୍କୁ ଏହି ତାଲିମ ଦେବାର ବ୍ୟବସ୍ଥା ରହିଛି। ମାତ୍ର ସିଟ୍‌ ବଳିଥିବାରୁ ବିଚାରାଧୀନ କଏଦୀଙ୍କୁ ଏହି ସୁଯୋଗ ମିଳୁଛି। ହନୀପ୍ରୀତ ମଧ୍ୟ ଜଣେ ବିଚାରାଧୀନ କଏଦୀ ଭାବେ ଏହି ସୁଯୋଗ ପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହନିପ୍ରୀତ ଅନ୍ୟ ଅନ୍ତେବାସୀଙ୍କ ସହିତ ଏହି ତାଲିମ ନେଉଛନ୍ତି।

ସମ୍ବନ୍ଧିତ ଖବର