ଅନର୍‌ କିଲିଙ୍ଗ୍‌: ଅନ୍ୟ ଧର୍ମର ପୁଅ ସହ ପଳାଇଥିବା ଝିଅର ତଣ୍ଟିଚିପି ହତ୍ୟା କରିଥିବା ବାପା ଓ ଭାଇ ଗିରଫ

ବର୍ଦ୍ଧମାନ: ଅନ୍ୟ ଧର୍ମର ଜଣେ ଯୁବକଙ୍କ ପ୍ରେମରେ ପଡ଼ି ତାକୁ ବିବାହ କରିବାକୁ ବାହାରିଥିବା ଜଣେ ମୁସଲମାନ ଝିଅକୁ ତା’ର ବାପା ଓ ଭାଇ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଅଗଷ୍ଟ ୩୧ ତାରିଖ ଦିନ ସେ ଯୁବତୀଙ୍କ ଶବ ନବଗ୍ରାମ ଦୁର୍ଗାପୁର ଏକ୍ସ୍‍ପ୍ରେସ୍‌େଓ୍ଵ ଠାରୁ ଦୂରରେ ଏକ ବୁଦା ମଧ୍ୟରୁ ଉଦ୍ଧାର କରାଯାଇଥିଲା। ଗୋଲାପୀ ରଙ୍ଗର ସାଲ୍‌ଓ୍ଵାର୍‌ କୁର୍ତ୍ତା ପରିହିତା ଯୁବତୀଙ୍କୁ ହତ୍ୟା କରାଯିବା ପରେ ପଥରରେ ତା’ର ମୁଣ୍ଡକୁ ଛେଚି ଖଣ୍ଡିଆ ଖାବରା କରାଯାଇଥିଲା। ବ୍ୟବଚ୍ଛେଦ କରାଯିବା ସମୟରେ ଶବର ଗୋଡ଼ରେ ମେହେନ୍ଦିରେ ଲିଖିତ ଦୁଇଟି ଫୋନ୍‌ ନମ୍ବର ମିଳିଥିଲା।

ସେ ଫୋନ୍‌ ନମ୍ବରକୁ ଠାବ କରି ପୂର୍ବ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଜମାଲପୁର ଥାନା ଅଧିକାରୀମାନେ ମୁମ୍ବାଇରେ ବାସ କରୁଥିବା କରଣ ସିଂହ ନାମକ ଜଣେ ଯୁବକଙ୍କ ପତ୍ତା ପାଇଥିଲେ। ଜିଲ୍ଲା ପୁଲିସର ଏକ ଟିମ୍‌ ମୁମ୍ବାଇ ଯାଇ ସିଂହଙ୍କୁ ଭେଟିଥିଲେ। ତାଙ୍କୁ ଯୁବତୀଙ୍କ ଫଟୋ ଦେଖାଇବାରୁ ସେ କହିଲେ କି, ଏଇଟା ବିହାର ମୁଜାଫରପୁରର ଜହାନା ଖାତୁନ୍‌ଙ୍କର। ସେମାନେ ପରସ୍ପରଙ୍କର ପଡ଼ୋଶୀ।

ଅଧିକ ପଚରାପଚରି କରିବାରୁ କରଣ କହିଥିଲେ କି, ଦୁହିଁଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ଥିଲେ ବି ଝିଅ ପରିବାର ଏହାକୁ ବିରୋଧ କରୁଥିଲେ। ସେମାନେ ଘରୁ ପଳାଇ ଯାଇଥିଲେ ବି ଜହାନାର ବାପା ମହମ୍ମଦ ମୁସ୍ତାକ୍‌ ଝିଅକୁ ଫେରାଇ ଆଣିଥିଲେ ଏବଂ ତାଙ୍କ ସହ ସମ୍ପର୍କ ତୁଟାଇ ଦେବାକୁ କହିଥିଲେ।

ସିଂହଙ୍କୁ ଠାରୁ ହିଁ ପୁଲିସ ଜାଣିବାକୁ ପାଇଥିଲା କି, ମୁସ୍ତାକ୍‌ ଏବଂ ତାଙ୍କ ପୁଅ ଜାହିଦ୍‌ କୋଲକାତାର ପାର୍କ ସର୍କସ ଅଞ୍ଚଳରେ ବାସ କରନ୍ତି। ସେଠାରେ ସେମାନେ ଡ୍ରାଇଭର୍‌ ଭାବେ କାମ କରନ୍ତି। ଅନ୍ୟ ଏକ ପୁଲିସ ଟିମ୍‌ ଗଲା ଜହାନାର ଜନ୍ମସ୍ଥାନ ମୁଜାଫରପୁରକୁ। ସେଠାରୁ ଜାଣିବାକୁ ପାଇଲା ଯେ ଅଳ୍ପଦିନ ହେବ ଜହାନାରାକୁ ବାପା ଓ ଭାଇ କୋଲକାତା ନେଇଯାଇଛନ୍ତି।

ସେପ୍ଟେମ୍ବର ୯ ତାରିଖ ଦିନ ପାର୍କ ସର୍କସ ଠାରେ ବାପ ଓ ପୁଅଙ୍କୁ ଖୋଜି ବିଳମ୍ବିତ ରାତ୍ରୀରେ ଧିରିବା ସହ ପଚରାଉଚୁରା କଲା। ଶେଷରେ ମୁସ୍ତାକ୍‌ କାନ୍ଦି ପକାଇ ଝିଅକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା।

ଭାଇ ଜାହିଦ କହିଲେ କି, ତାକୁ ଆମେ ଅନ୍ୟ ଜଣକ ସହ ବାହା କରାଇ ଦେଇଥାଆନ୍ତୁ କିନ୍ତୁ, ସେ ସିଂହ ସହ ପଳାଇଗଲା। ତାକୁ ବାହା ନ କରାଇ ଦେଲା ଯାଏଁ ଗାଁକୁ ନ ଆଣିବାକୁ ଗ୍ରାମବାସୀମାନେ ମଧ୍ୟ ଚେତାବନୀ ଦେଇଥିଲେ। ଆମେ ତାକୁ କୋଲ୍‌କାତା ନେଇ ଆସିଲୁ।

ଅଗଷ୍ଟ ୩୧ ତାରିଖ ଦିନ କାର୍‌ରେ ୧୯ ବର୍ଷୀୟ ଜହାନାରାକୁ ବର୍ଦ୍ଧମାନ ଆଡ଼କୁ ନେବା ବାଟରେ ବାପ ପୁଅ ତାକୁ ହତ୍ୟା କରିବାକୁ ସ୍ଥିର କରିଥିଲେ। ପ୍ରଥମେ ଏକ ରଶି ଦ୍ୱାରା ତା’ର ତଣ୍ଟିଚିପି ହତ୍ୟା କରିବା ପରେ ତା’ର ମୁହଁକୁ ପଥରରେ ଛେଚି ପକାଇଥିଲେ ସେମାନେ।

ସମ୍ବନ୍ଧିତ ଖବର