ପଡ଼ୋଶୀଙ୍କୁ ମାଡ଼ ମାରି ହୋଟେଲ ମାଲିକ ଗିରଫ

ଭୁବନେଶ୍ୱର: ହୋଟେଲ ମାଲିକଙ୍କ ଦାଦାଗିରି। ହୋଟେଲ ପାଖ ଘରର ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଇନଫୋସିଟି ଥାନା ପୁଲିସ୍ ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ଏମ୍ଏସ ପ୍ଲାଜାର ମାଲିକ ମନୋଜ କୁମାର ସାହୁ(୩୫)। ଘର ମଞ୍ଚେଶ୍ୱର ଥାନା ଅଧୀନ ଇଞ୍ଜଣା ହୋଇଥିବା ବେଳେ ସେ କାନନବିହାର ଫେଜ୍-୨ ଅଞ୍ଚଳରେ ରୁହେ।

ସୂଚନା ଅନୁସାରେ, ଅଭିଯୁକ୍ତ ମନୋଜଙ୍କ ଇନଫୋସିଟି ଥାନା ଅଧୀନ ପଟିଆ କାନନବିବାହ ଅଞ୍ଚଳରେ ଏମ୍ଏସ୍ ପ୍ଲାଜା ନାମକ ଏକ ହୋଟେଲ ରହିଛି। ହେଲେ ହୋଟେଲରେ ପାର୍କିଂ ପାଇଁ କିଛି ବ୍ୟବସ୍ଥା ନାହିଁ। ହୋଟେଲକୁ ଆସୁଥିବା ଅତିଥିଙ୍କ ଗାଡ଼ି ସେ ସ୍ଥାନୀୟ ଲୋକଙ୍କ ଘର ଆଗରେ ପାର୍କିଂ କରାଉଥିଲେ। ଫଳରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ମନୋଜ କାହା କଥା ଶୁଣୁ ନଥିଲା। ଶନିବାର ରାତି ୧ଟା ବେଳେ ପଡ଼ୋଶୀ ନିରଞ୍ଜନ ସାହୁଙ୍କ ଘର ସାମ୍ନାରେ ଗାଡ଼ି ପାର୍କିଂ ହୋଇଥିବାରୁ ସେମାନେ ବିରୋଧ କରିଥିଲେ। ଏଥିରେ ରାଗିଯାଇ ମନୋଜ ନିରଞ୍ଜନ, ତାଙ୍କ ସ୍ତ୍ରୀ ଓ ପୁତୁରାଙ୍କୁ ମାଡ଼ ମାରିଥିଲା। ଏନେଇ ନିରଞ୍ଜନ ଇନଫୋସିଟି ଥାନାରେ ଲିଖିତ ଅଭିାଯୋଗ ହେବାରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତର ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ମନୋଜ ନାମରେ ୨୦୧୫ ଓ ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଥାନା‌ରେ ଆପରାଧିକ ମାମଲା ରହିଛି ବୋଲି ତଦନ୍ତକାରୀ ଅଧିକାରୀ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର