୧୮ ଲକ୍ଷ ଟଙ୍କାରେ କିଣା ଯାଇଥିବା କଳାଘୋଡ଼ା ମାସ କେଇଟାରେ ଧଳା ହେଲା କେମିତି

ବଥିଣ୍ଡା: ଧଳାଘୋଡ଼ା ଦେହରେ କଳା ରଙ୍ଗ ମାଖି ଦଳେ ଠକ ଫରିଦକୋଟର ଜଣେ ଘୋଡ଼ା ପାଳକ ତଥା ଅବସରପ୍ରାପ୍ତ ଜିଲ୍ଲା ଆଟର୍ଣ୍ଣିଙ୍କୁ ୧୭ ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରୟ କରିଛନ୍ତି।

କଳାଘୋଡ଼ାକୁ ଅସାଧାରଣ ବୋଲି କୁହାଯାଇଥାଏ। ଯଦି ସେ କଳାଘୋଡ଼ା ମାର୍‌ଓ୍ଵାଡ଼ି ଜାତିଆ ହୋଇଥାଏ ତାହା ସେହି ଜାତିର ଅନ୍ୟ ରଙ୍ଗର ଘୋଡ଼ାମାନଙ୍କ ଠାରୁ ଅଧିକ ମୂଲ୍ୟରେ ବିକ୍ରୟ ହୋଇଥାଏ।

ଫରିଦକୋଟ ଅନ୍ତର୍ଗତ ସେଖୋନ୍‌ର ସେ ଘୋଡ଼ା ପାଳକ ହେଉଛନ୍ତି କରଣବୀର ଇନ୍ଦର ସିଂହ। ତାଙ୍କ ପରିବାର ଘୋଡ଼ା ବ୍ୟବସାୟ କରନ୍ତି। ସେ କିଣିଥିବା କଳାଘୋଡ଼ା ଦେହରେ ଅଳ୍ପ କିଛି ଦିନ ପରେ ଧଳା ଧଳା ଦାଗ ପଡ଼ିବାରୁ ଠକିଛନ୍ତି ଜାଣି ପାରିଲେ। ଆଉ କିଛି ଦିନ ପରେ ସେ କଳାଘୋଡ଼ାଟି ସମ୍ପୂର୍ଣ୍ଣ ଧଳା ପାଲଟି ଗଲା।

ଅଭିଯୋଗ ପରେ ପୁଲିସ ଆଠ ଜଣ ଲୋକଙ୍କ ବିରୋଧରେ ଠକାମି ମାମଲା ରୁଜୁ କରିଛି, କିନ୍ତୁ କାହାରିକୁ ଗିରଫ କରାଯାଇ ନାହିଁ।

ସେଖୋନ୍‌ କହନ୍ତି: ଘୋଡ଼ା ବ୍ୟବସାୟୀ ମେଓ୍ଵା ସିଂହ ଓ ତାଙ୍କ ଲୋକଙ୍କ ଠାରୁ ମୁଁ ନଭେମ୍ବର ୨୦୧୭ରେ ଗୋଟାଏ କଳା ମାର୍‌ଓ୍ଵାଡ଼ି ଜାତିଆ ଘୋଡ଼ା କିଣିଥିଲି। ସେମାନେ କହିଥିଲେ କି, ଘୋଡ଼ାଟି ରାଜସ୍ଥାନର ଜଣେ ବିଖ୍ୟାତ ଘୋଡ଼ାପାଳକ ପରିବାରରୁ ଆସିଛି। ସେମାନେ ୨୪ ଲକ୍ଷ ଟଙ୍କା ହାଙ୍କୁ ଥିଲେ, କିନ୍ତୁ ୧୭ ଲକ୍ଷ ୫୦ ହଜାର ଟଙ୍କାରେ ଦର ଛିଡ଼ିଥିଲା।

ମୁଁ ସମୁଦାୟ ଟଙ୍କା ଦେଇ ଘୋଡ଼ଟି ଆଣିଲି। କିଛି ଦିନ ପରେ ସେ ଘୋଡ଼ା ଦେହରେ ଧଳା ଦାଗ ଦେଖା ଦେଲା ଏବଂ କ୍ରମେ ସମ୍ପୂର୍ଣ୍ଣ ଧଳା ପଡ଼ିଗଲା। ତେବେ ଯାଇ ଆମେ ଜାଣିଲୁ ସେମାନେ ଧଳାଘୋଡ଼ା ଦେହରେ କଳା ରଙ୍ଗ ମାଖି ଥିଲେ।

ମୁଁ ବିକ୍ରେତାମାନଙ୍କ ପାଖରେ ପହଞ୍ଚି ଏ କଥା କହିଲି, କିନ୍ତୁ ସେମାନେ କିଛି ସନ୍ତୋଷଜନକ ଉତ୍ତର ନ ଦେବାରୁ ପରେ ଜାଣିଲି ଯେ ସେମାନେ ଠକ ଏବଂ ବଥିଣ୍ଡା, ଜାଗ୍ରାଓଁ ଏବଂ ଲୁଧିଆନାରେ ଅନ୍ୟମାନଙ୍କୁ ମଧ୍ୟ ଠକିଛନ୍ତି। ତେବେ ଯାଇ ମୁଁ ଥାନାକୁ ଗଲି।

ସମ୍ବନ୍ଧିତ ଖବର