ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଅନ୍ଲାଇନ୍ ଗେମ୍ ପାଇଁ ୮ବର୍ଷୀୟ ଶିଶୁ ନିଜ ବାପାଙ୍କ ଆକାଉଣ୍ଟରୁ ୩୫,୦୦୦ଟଙ୍କା କାଢ଼ି ନେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ଲାଇନ୍ ଗେମ୍ ଜିତିବା ପରେ ମିଳୁଥିବା ପୁରସ୍କାର ଟଙ୍କାକୁ ହାସଲ କରିବା ପାଇଁ ଶିଶୁଟି ଗୋଟେ ପରେ ଗୋଟେ ଗେମ୍ର ସୋପାନ ପାଇଁ ଟଙ୍କା ଦେଇ ଖେଳିବା ଆରମ୍ଭ କରିଥିଲା । ପ୍ରଥମେ କିଛି କିଛି କରି ଟଙ୍କା ଉଠାଉଥିବା ବେଳେ ଏକା ଥରକେ ସେ ୧୮,୦୦୦ଟଙ୍କା ଉଠାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।
ଶିଶୁର ବାପା ଏତେ ଟଙ୍କା ଆକାଉଣ୍ଟରୁ ଗାଏବ ହୋଇଯିବାର ଅଭିଯୋଗ ପୁଲିସକୁ ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଆକାଉଣ୍ଟଟି ଇ-ଓ୍ଵଲେଟ୍ ସହ ସଂଯୋଗ କରାଯାଇ ଟଙ୍କା ମୁମ୍ବାଇର ଜଣେ ଯୁବକଙ୍କୁ ପାଖକୁ ଯାଉଥିବା ଜାଣିବାକୁ ପାଇଥିଲା ପୁଲିସ । ଏହା ସହ ପୀଡ଼ିତଙ୍କ ମୋବାଇଲ ନମ୍ବର ମଧ୍ୟ ଟଙ୍କା ଉଠାଣ ପାଇଁ ବ୍ୟବହାର କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ମୋବାଇଲ ନମ୍ବର ବ୍ୟବହାର ଦେଖି ଏହି କାମ କେହି ଜଣେ ଘର ଲୋକ କରିଥିବା ସନ୍ଦେହ କରି ପଚରାଉଚରା ପରେ ପୀଡ଼ିତଙ୍କ ପୁଅ ଅନ୍ଲାଇନ୍ ଗେମ୍ ପାଇଁ ଏଭଳି କରିଥିବା ସାମ୍ନାକୁ ଆସିଥିଲା । ଅନ୍ଲାଇନ୍ ଫାୟାର ସର୍ଭାଇଭାଲ ଗେମ୍ରେ ହୀରା କିଣିବା ପାଇଁ ପୀଡ଼ିତଙ୍କ ପୁଅ ଏକା ସାଙ୍ଗରେ ୧୮,୦୦୦ଟଙ୍କା ଉଠାଇଥିଲେ । ତେବେ ଆକାଉଣ୍ଟର ସଠିକ୍ ଯାଞ୍ଚ ପରେ ପୀଡ଼ିତଙ୍କ ଆକଉଣ୍ଟରୁ ଥର ଥର କରି ତାଙ୍କ ପୁଅ ୩୫,୦୦୦ଟଙ୍କା ଉଠାଇଥିବା ସାମ୍ନାକୁ ଆସିଥିଲା ।