ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ମାମଲା: ଏହିପରି ଭାବେ ନିଜ ଜାଲରେ ନିଜେ ଛନ୍ଦି ହୋଇଥିଲେ ଅଭିଯୁକ୍ତ

ହାଇଦ୍ରାବାଦ୍‌: କୁହାଯାଏ ଅପରାଧୀ ଯେତେ ଚାଲାକ ହେଲେ ବି ନିଜ କୁକର୍ମର ସୁରାଗ ଛାଡିଯାଇଥାଏ । ହାଇଦ୍ରାବାଦରେ ୨୭ ବର୍ଷ ବୟସ୍କ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀଙ୍କ କ୍ଷେତ୍ରରେ ବି ଠିକ୍ ସେୟା ଘଟିଛି । ପୁଲିସ ଗୁରବାର ମୃତଦେହ ଜବତ କରିବା ପରେ ମାତ୍ର ୪୮ ଘଂଟା ଭିତରେ ୪ ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଇଥିଲା । ତଦନ୍ତ ଆରମ୍ଭ କରିବା ମାତ୍ରେ ପୁଲିସ ହାତରେ ଲାଗିଥିଲା ଅଭିଯୁକ୍ତଙ୍କ ସଂପର୍କରେ ଗୋଟିଏ ପରେ ଗୋଟିଏ ପ୍ରମାଣ ।

ମେକାନିକ୍ ଦେଲା ପ୍ରଥମ ସୁରାକ୍ । ନିଜ ଜାଲରେ ନିଜେ ଛନ୍ଦି ହେଲେ ଅପରାଧୀ । ଚାରି ଅଭିଯୁକ୍ତ ମହମ୍ମଦ ଆରିଫ, ଶିବା, ନବୀନ ଓ ସି. ଚେନ୍ନକେଶବଲୁ ମହିଳା ଡାକ୍ତରଙ୍କୁ ଫସାଇବାକୁ ଯେଉଁ ଜାଲ ବିଛାଇଥିଲେ, ସେହି ଜାଲ ହିଁ ତାଙ୍କ ପର୍ଦ୍ଦାଫାସ କରିଦେଲା । ଶାଦନଗର ଫ୍ଲାଏଓଭର ତଳୁ ପୀଡିତାଙ୍କ ଅର୍ଧଦଗ୍ଧ ମୃତ ଦେହ ମିଳିବା ପରେ ପୁଲିସକୁ ପ୍ରଥମ ସୁରାକ ମିଳିଥିଲା ଏକ ଟାୟର ମେକାନିକ ଠାରୁ । ମେକାନିକ କହିଥିଲେ ବୁଧବାର ରାତିରେ ଦୁଇ ଜଣ ବ୍ୟକ୍ତି ଏକ ପଙ୍କଚର ଗାଡି ଆଣି ପମ୍ପ ଦେଇଥିିଲେ । ଏହାପରେ ସିସିଟିଭି ଫୁଟେଜରୁ ସେମାନଙ୍କୁ ଚିହ୍ନଟ କରିଥିଲା ପୁଲିସ ।

ସେହିପରି ପୀଡିତାଙ୍କୁ ଜାଳି ଦେଇଥିବାରୁ ସବୁ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଂଚ କରିଥିଲା ପୁଲି୍ସ । କୋଠୁର ପେଟ୍ରୋଲ ପମ୍ପରୁ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ମିଳିଥିଲା । ହେଲେ ଯେଉଁ ଟ୍ରକରେ ପୀଡିତାଙ୍କ ମୃତଦେହକୁ ନିଆଯାଇଥିଲା ସେହି ଗାଡିର ନମ୍ବର ଟ୍ରାକ କରି ୪ ଜଣଙ୍କୁ ଗିରଫ କରିପାରିଛି ପୁଲି୍ସ । ଆଇନର ହାତ ବହୁତ ଲମ୍ବା । ଏହାକୁ ଯଥାର୍ଥ ପ୍ରମାଣିତ କରିଛି ହାଇଦ୍ରାବାଦ ପୁଲି୍ସ । ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪୮ ଘଂଟା ଭିତରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରିଛି ।

ସମ୍ବନ୍ଧିତ ଖବର