ସ୍ତ୍ରୀକୁ ବାପ ଘରୁ ଆଣିବା ପାଇଁ ସ୍ୱାମୀ ଚୋରାଇ ଥିଲା ସରକାରୀ ବସ୍‌

ସୋନିପତ: ହରିୟାଣା ପୁଲିସ ଏମିତି ଏକ ଚୋରକୁ ଗିରଫ କରିଛି ଯିଏକି ଏକ ସରକାରୀ  ବସ୍‌କୁ ଚୋରି କରି ନେଇ ଯାଇଥିଲା। ଚୋର ବସ୍‌ଟିକୁ ଦ୍ରୁତଗତିରେ ନେଉଥିବା ସମୟରେ ଭାରସାମ୍ୟ ହରାଇ ରୋହତକ ନିକଟସ୍ଥ ଏକ ଗଛରେ ଧକ୍କା ଖାଇଥିଲା। ଏହାର ସୁଯୋଗ ନେଇ ପୁଲିସ ଚୋରକୁ ଗିରଫ କରିଥିଲା।

ପୁଲିସ ଛାନ୍‌ଭିନ୍‌ କରି ଜାଣିବାକୁ ପାଇଥିଲା କି ଚୋର ବାପ ଘରେ ଥିବା ସ୍ତ୍ରୀକୁ ଆଣିବା ପାଇଁ  ବସ୍ ଚୋରି କରିଥିଲା । ଚୋରର ନାମ ମନୀଷ ବୋଲି ଜଣାପଡ଼ିିଛି। ପୁଲିସ ଘଟଣାର ଛାନ୍‌ଭିନ୍‌ କରି ବସ୍‌କୁ କ୍ରେନ୍‌ରେ ଉଠାଇ ଡିପୋକୁ ପଠାଇ ଦେଇଛି।

ହରିୟାଣା  ରୋଡୱେଜର ବସ୍‌ ଚାଳକ ନରେନ୍ଦ୍ର ସୋମବାର ରାତିରେ ବସ୍‌କୁ ଜୟପୁର ଯିବା ପାଇଁ କାଉଣ୍ଟରରେ ଛିଡା କରିଥିଲେ। ବସ ଛିଡା କରି ଚାଳକ ନରେନ୍ଦ୍ର ଅନ୍ୟ ଏକ ବସ୍‌ ନେବା ପାଇଁ ଓ୍ଵାର୍କସପ୍‌ ଚାଲି ଯାଇଥିଲେ। କିଛି ସମୟ ପରେ ଦ୍ୱିତୀୟ ବସକୁ ନେଇ ସେ ଷ୍ଟାଣ୍ଡ ପରିସରକୁ ଆସିବା ବେଳେ ବସ୍‌ ସେଠାରେ ନ ଥିବା ଜାଣିବାକୁ ପାଇଥିଲେ। ବସ୍‌ ଚୋରି ହେବା ଜାଣିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ବସ୍‌ ଚୋରି କରିଥିବା ଯୁବକଙ୍କ କହିବାନୁସାରେ, ରୋହତକରେ ତାଙ୍କର ଶଶୁର ଘର। ତାଙ୍କ ପତ୍ନୀ ବାପା ଘରକୁ ବୁଲିବାକୁ ଯାଇଥିଲେ। ପତ୍ନୀଙ୍କୁ ବାପ ଘରୁ ଆଣିବା ପାଇଁ ତାଙ୍କ ପାଖରେ କୌଣସି ସାଧନ ନ ଥିଲା। ତେଣୁ ସେ ବସ୍‌ ଚୋରାଇ ନେଇଥିଲେ। ପୁଲିସ ଏହି ଘଟଣାର ବି ଯାଞ୍ଚ କରୁଛି କି ଉକ୍ତ ଯୁବକ ନିଶାଗ୍ରସ୍ତ ହୋଇ ଏପରି କରି ନାହିଁ ତ?

ସମ୍ବନ୍ଧିତ ଖବର