ଚାକିରି ଖୋଜୁଥିବା ଯୁବକ ହରାଇଲେ ଆଖି, ଭୋକିଲା ରହି ବୁଲିବୁଲି ମାଗୁଥିଲେ ଭିକ

କାନପୁର: ଉତ୍ତରପ୍ରଦେଶର କାନପୁରରେ ମାନବ ଚାଲାଣର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଚାକିରି ଖୋଜୁଥିବା ଜଣେ ବ୍ୟକ୍ତିଙ୍କ ଆଖିରେ ରାସାୟନିକ ପଦାର୍ଥ ପକାଇ ତାଙ୍କୁ ଅନ୍ଧ କରି ଦିଆଯାଇଥିଲା ଏବଂ ପରେ ସେହି ବ୍ୟକ୍ତିଙ୍କୁ ଦିଲ୍ଲୀର ଏକ ଗ୍ୟାଙ୍ଗକୁ ବିକ୍ରି କରାଯାଇଥିଲା । ଆଉ ତାଙ୍କୁ ଭିକ୍ଷା ମାଗିବାକୁ ବାଧ୍ୟ କରାଯାଇଥିଲା। ଏହି ବ୍ୟକ୍ତିଙ୍କୁ ଅନ୍ଧ କରିଥିବା ଲୋକ ୭୦,୦୦୦ ଟଙ୍କାରେ ଭିକାରି ଗ୍ୟାଙ୍ଗକୁ ବିକ୍ରି କରି ଦେଇଥିଲା। କିନ୍ତୁ ନିର୍ଯାତନା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ କାନପୁରକୁ ପଠାଯାଇଥିଲା।  ଯେଉଁଠାରେ କୌଣସି ପ୍ରକାରେ ଅନ୍ଧ ପୀଡିତ ଜଣେ ଲୋକଙ୍କ ସାହାଯ୍ୟରେ ତାଙ୍କ ଘରେ ପହଞ୍ଚି ପାରିଥିଲେ। ପୀଡିତ ଏହି ମାମଲାରେ ପୁଲିସ ଷ୍ଟେସନରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଚାକିରି ଖୋଜୁଥିବା କାନପୁରର ନୌବସ୍ତା ରବୀନ୍ଦ୍ର ନଗର ନିବାସୀ ୩୦ ବର୍ଷିୟ ସୁରେଶ ମାଝିଙ୍କୁ ବିଜୟ ନାମକ ଜଣେ ବ୍ୟକ୍ତି ଡାକି ନେଇଥିଲା। ସୁରେଶଙ୍କୁ କାମ କରିବାର ବାହାନା ଦେଖାଇ ଝାକରକଟି ବ୍ରିଜ ତଳେ ବାନ୍ଧି ଦେଇଥିଲା। ଏହାପରେ ବିଜୟସୁରେଶଙ୍କ ଆଖିରେ ରାସାୟନିକ ପଦାର୍ଥ ଲଗାଇ ତାଙ୍କୁ ଅନ୍ଧ କରିଦେଇଥିଲା ଏବଂ ଅନେକ ସ୍ଥାନରେ ତାଙ୍କ ଶରୀରକୁ କ୍ଷତାକ୍ତ କରିଥିଲା।

ଏହାପରେ ଅଭିଯୁକ୍ତ ପୀଡିତଙ୍କୁ ଦିଲ୍ଲୀର ଭିକାରୀ ଗ୍ୟାଙ୍ଗର ନେତା ରାଜଙ୍କୁ ୭୦,୦୦୦ ଟଙ୍କାରେ ବିକ୍ରି କରି ଦେଇଥିଲା। ସେଠାରେ ନିର୍ଯାତନା ହେତୁ ସୁରେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଦୁଇ ମାସ ପୂର୍ବେ ଅଭିଯୁକ୍ତ ବିଜୟ ସହ ତାଙ୍କୁ କାନପୁରକୁ ପଠାଇଥିଲେ ରାଜ। ସେବେଠାରୁ ବିଜୟ ତାଙ୍କୁ ସହରରେ ଭୋକିଲା ରଖି ଭିକ୍ଷା ମାଗାଉଥିଲା।

ରବିବାର ଦିନ, କାନପୁରର କିଦୱାଇ ନଗର ଛକ ନିକଟରେ ଜଣେ ଯାତ୍ରୀଙ୍କ ସହାୟତାରେ ସୁରେଶ ତାଙ୍କ ଘରେ ପହଞ୍ଚି ପାରିଥିଲେ। ଗୁରୁବାର ଦିନ ତାଙ୍କ ଦୁଇ ଭାଇ ରମେଶ ଏବଂ ପ୍ରଭେଶଙ୍କ ସହ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ବିଜୟକୁ ଧରିବା ପାଇଁ ଦିଲ୍ଲୀକୁ ଏକ ପୁଲିସ ଟିମ୍ ପଠାଯାଇଛି।

ସମ୍ବନ୍ଧିତ ଖବର