ସ୍ବାମୀ-ସ୍ତ୍ରୀ ମିଶି ବୃଦ୍ଧ ମହିଳାଙ୍କୁ ହତ୍ୟା କରିବା ପରେ ତିନିଟି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲେ, ସିସିଟିଭିରେ କୈଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦ୍ବାରକା ଅଞ୍ଚଳରେ ବସବାସ କରୁଥିବା ସ୍ବାମୀ-ସ୍ତ୍ରୀ ପଡ଼ିଶା ଘରେ ରହୁଥିବା ଜଣେ ବୃଦ୍ଧ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି।  ଏହାପରେ ନିଜ ଦୋଷ ଲୁଚାଇବା ପାଇଁ ବୃଦ୍ଧାଙ୍କୁ କାଟି ଖଣ୍ଡଖଣ୍ଡ କରି ତିନିଟି ବ୍ୟାଗରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲେ। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କୈଦ ହୋଇଯାଇଥିଲା। ପୁଲିସ ହତ୍ୟାକାରୀ ଦମ୍ପତ୍ତିଙ୍କୁ ଗିରଫ କରି ନେଇଛି।

ଦିଲ୍ଲୀର ଦ୍ବାରକା ଅଞ୍ଚଳରେ ଘରେ ଏକା ରହୁଥିବା ଜଣେ ବୃଦ୍ଧ ମହିଳାଙ୍କୁ ତାଙ୍କ ପଡ଼ିଶାରେ ରହୁଥିବା ଅନିଲ ଆର୍ଯ୍ୟ ଓ କାମିନି ଓରଫ ଅନୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ସମ୍ପର୍କରେ ଯେମିତି କେହି କିଛି ନଜାଣି ପାରିବେ ସେଥିପାଇଁ ଦମ୍ପତ୍ତି ବୃଦ୍ଧଙ୍କ ଶରୀରକୁ କାଟି ଖଣ୍ଡଖଣ୍ଡ କରି ତିନିଟି ବ୍ୟାଗରେ ଭର୍ତ୍ତି କରି ନାଳରେ ଫିଙ୍ଗି ଫେରାର ହୋଇ ଯାଇଥିଲେ।

କୁହାଯାଉଛି କି, ଅନିଲ ଆର୍ଯ୍ୟ ଇଭେଣ୍ଟ ମ୍ୟାନେଜମେଣ୍ଟ କାମ କରନ୍ତି। ଅନିଲ ୭୫ବର୍ଷ ବୃଦ୍ଧ ପଡିଶାଘର ମହିଳା କବିତାଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ଧାର ନେଇଥିଲେ। ବହୁଦିନ ଧରି ଅନିଲ କବିତାଙ୍କ ଟଙ୍କା ଫେରାଇ ନଥିଲେ। ତେଣୁ କବିତା ଅନିଲଙ୍କୁ ଟଙ୍କା ମାଗିଥିଲେ। ଏହି କାରଣରୁ ନୀରିହ ବୃଦ୍ଧାଙ୍କୁ ଅନିଲ ଓ ତାଙ୍କ ସ୍ତ୍ରୀ ମିଶି ହତ୍ୟା କରି ଦେଇଥିଲେ।

ଜୁଲାଇ ୩ ତାରିଖରେ ମୋହନ ଗାର୍ଡ ଥାନାରେ ବୃଦ୍ଧ ମହିଳା ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରି ବୃଦ୍ଧାଙ୍କ ପଡ଼ିଶାରେ ରହୁଥିବା ସ୍ବାମୀ-ସ୍ତ୍ରୀଙ୍କୁ ଖୋଜିଥିଲା। କିନ୍ତୁ ଦୁହେଁ ଫେରାର ଥିଲେ । ଏହାକୁ ନେଇ ପୁଲିସକୁ ସନ୍ଦେହ ହୋଇଥିଲା। ଏହାପରେ ପୁଲିସ କବିତାଙ୍କ ଘରେ ଲାଗିଥିବା ସିଟିଟିଭି ଫୁଟେଜ ଦେଖିଥିଲା। ଏଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ କବିତାଙ୍କ ହତ୍ୟା ତାଙ୍କ ପଡ଼ିଶାରେ ରହୁଥିବା ଦମ୍ପତ୍ତି ହିଁ କରିଛନ୍ତି ବୋଲି। ପୁଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦମ୍ପତ୍ତିଙ୍କୁ ଉତ୍ତରପ୍ରଦେଶ ବରେଲରୁ ଗିରଫ କରିଥିଲା। ଗିରଫ ପରେ ଦମ୍ପତ୍ତି ନିଜ ଦୋଷ ସ୍ବୀକାର ବି କରିଛନ୍ତି।

ସମ୍ବନ୍ଧିତ ଖବର