କିରାସିନି ଢାଳି ସ୍ତ୍ରୀକୁ ହତ୍ୟା ଉଦ୍ୟମ : ଅଳ୍ପକେ ବର୍ତିଲେ ସ୍ତ୍ରୀ, ସ୍ୱାମୀ ଗିରଫ

ଖଣ୍ଡଗିରି : କିରାସିନି ଢାଳି ସ୍ତ୍ରୀକୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳର ପଞ୍ଚାନନ ଦାସ(୪୨)। ଜାମିନ୍‌ ନାମଞ୍ଜୁର ହେବାରୁ ପଞ୍ଚାନନକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସ୍ତ୍ରୀ ଅନୁପମାଙ୍କ ଅଭିଯୋଗ ଅନୁସାରେ ପଞ୍ଚାନନ ସବୁବେଳେ ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଅକଥନୀୟ ଅତ୍ୟାଚାର କରିଆସୁଥିଲେ। ସ୍ୱାମୀଙ୍କ ଅତ୍ୟାଚାର ଅସହ୍ୟ ହୋଇଥିଲେ ବି ଝିଅ-ପୁଅଙ୍କ ମୁହଁକୁ ଚାହିଁ ସେ ଛାତିକୁ ପଥର କରି ଦେଇଥିଲେ। ଗତ ୮ ତାରିଖ ଦିନ ପଞ୍ଚାନନ ଏକ ପନିକି ଧରି ତାଙ୍କୁ ହାଣି ଦେବାକୁ ଗୋଡ଼ାଇଥିଲା। ମାତ୍ର ପୁଅ ଯୋଗୁଁ ଅନୁପମା ସେଦିନ ବଞ୍ଚି ଯାଇଥିଲେ। ୧୬ ତାରିଖ ରାତିରେ ପଞ୍ଚାନନ ପୁଣି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ସେଦିନ ରାତିରେ ପିଲାମାନଙ୍କୁ ଖାଇବାକୁ ଦେଇସାରି ଅନୁପମା ନିଜେ ଖାଇବାକୁ ଯାଉଥିଲେ। ଏତିକିବେଳେ ପ୍ରଚୁର ମଦି ପିଇ ନିଶାରେ ଟଳମଳ ହୋଇ ପଞ୍ଚାନନ ଘରକୁ ଆସିଥିଲା। ହାତରେ ଏକ କିରାସିନି ଭର୍ତି ବୋତଲ ଧରିଥିଲା। କିଛି ନ କହି ସେ ହଠାତ୍‌ ଅନୁପମାଙ୍କ ଉପରେ କିରାସିନି ଢାଳି ପକାଇଥିଲା। ଫଳରେ ତାଙ୍କ ଦେହ ସାରା କିରାସିନିରେ ଜୁଡ଼୍‍ୁବୁଡ଼ୁ ହୋଇଯାଇଥିଲା।

ଅନୁପମା ଜାଣି ପକାଇଥିଲେ ଯେ ପଞ୍ଚାନନ ନିଅାଁ ଲଗାଇ ଦେବ। ତେଣୁ ସେ ବିକଳରେ ପାଟି କରିବା ସହ ଘରୁ ବାହାରି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ପଞ୍ଚାନନ ଅନୁପମାଙ୍କୁ ଘରୁ ବାହାରି ଯିବା ପାଇଁ ଦେଇ ନଥିଲା। ତାଙ୍କ ଚିତ୍କାର ଶୁଣି ପଞ୍ଚାନନଙ୍କ ବାପା ଭାଇ ଓ ଅନ୍ୟମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ବି କେହି ତାକୁ ଅଟକାଉ ନଥିଲେ। ପଞ୍ଚାନନ ପକେଟ୍‌ରୁ ଦିଆସିଲି ବାହାର କରି ସାରିଥିଲା। ସାହସ ଜୁଟାଇ ତାଙ୍କ ଝିଅ ଓ ପୁଅ ସ୍ୱାମୀ-ସ୍ତ୍ରୀଙ୍କ ମଝିକୁ ଧାଇଁ ଆସି ଠେଲାପେଲା କରିଥିଲେ। ଏହି ମଉକାରେ ଅନୁପମା ସେଠାରୁ ଖସି ପଡ଼ୋଶୀ ଘରେ ଆଶ୍ରୟ ନେଇଥିଲେ। ଖବର ପାଇ ଅନୁପମାଙ୍କ ବାପଘର ଲୋକେ ପହଞ୍ଚିଥିଲେ ଓ ତାଙ୍କୁ ଉଦ୍ଧାର କରି ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର