ପତ୍ନୀଙ୍କୁ ନିର୍ଯାତନା ମାମଲା : ହାଇଦ୍ରାବାଦ ବିମାନବନ୍ଦରରୁ ସ୍ୱାମୀ ଗିରଫ

ଭୁବନେଶ୍ୱର : ପତ୍ନୀକୁ ନିର୍ଯାତନା ଅଭିଯୋଗରେ ମହିଳା ଥାନା ପୁଲିସ ହାଇଦ୍ରବାଦରୁ ସ୍ୱାମୀଙ୍କୁ ଗିରଫ କରିଛି। ତାଙ୍କ ନାମ ସମ୍ବିତ ନାୟକ। ସମ୍ବିତ ଲଣ୍ଡନରେ ଚାକିରି କରୁଥିଲେ।

ପୁଲିସ ସୂଚନା ମୁତାବକ, ଗତ ୨୦୦୫ରେ ସମ୍ବିତଙ୍କ ସହ ପାରମିତା ମହାନ୍ତିଙ୍କ ବାହାଘର ହୋଇଥିଲା। ତେବେ ସମ୍ବିତ ଯୌତୁକ ପାଇଁ ପାରମିତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ। ଏହାକୁ ନେଇ ୨୦୧୫ରୁ ଉଭୟ ଅଲଗା ରହୁଥିଲେ। ଏନେଇ ପାରମିତା ୨୦୧୬ ଡିସେମ୍ବର ୨୨ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ସମ୍ବିତଙ୍କୁ ଥାନାରେ ହାଜର ପାଇଁ ନୋଟିସ୍‌ ଜାରି କରିଥିଲା। ପୁଲିସ ନୋଟିସ୍‌ ସତ୍ତ୍ୱେ ସମ୍ବିତ୍‌ ସହଯୋଗ କରୁ ନ ଥିଲେ। ସେ ଲଣ୍ଡନରେ ରହୁଥିବାରୁ ପୁଲିସ ତାଙ୍କୁ ଗିରଫ କରିପାରି ନ ଥିଲା। ୨୦୧୭ରେ ସମ୍ବିତଙ୍କ ବିରୋଧରେ ପୁଲିସ ଲୁକ୍‌ଆଉଟ ସର୍କୁଲାର ଜାରି କରିଥିଲା। ଗତ ୧୯ ତାରିଖରେ ସମ୍ବିତ ଲଣ୍ଡନରୁ ହାଇଦ୍ରାବାଦ ଦେଇ ଓଡ଼ିଶା ଆସୁଥିଲେ। ବିଦେଶରୁ ଫେରିବା ବେଳେ ତାଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଥିବାରୁ ଯାଞ୍ଚ ବେଳେ ବିମାନବନ୍ଦରରେ ସମ୍ବିତଙ୍କୁ ଅଟକ ରଖାଯାଇଥିଲା। ଖବରପାଇ ମହିଳା ଥାନା ପୁଲିସର ଏକ ଟିମ ୨୦ ତାରିଖରେ ହାଇଦ୍ରାବାଦରେ ପହଞ୍ଚି ସେଠାରୁ ସମ୍ବିତଙ୍କୁ ଗିରଫ କରିଥିଲା। ପରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯିବା ପରେ ଟ୍ରାନ୍‌ଜିଟ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇ ବୁଧବାର ସ୍ଥାନୀୟ ଏସଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧିତ ଖବର