ପତ୍ନୀଙ୍କୁ କଟୁରିରେ ହାଣି ହତ୍ୟା ନଳକୂପ ଠିକାଦାରଙ୍କ ଉନ୍ମତ୍ତ କାଣ୍ଡ

ମେଧାବୀ ଝିଅ ଗୁରୁତର, ଅଳ୍ପକେ ରକ୍ଷା ପାଇଲା ପୁଅ

ବାଲିପାଟଣା: ବାଲିପାଟଣା ବ୍ଲକର ଜଣାଶୁଣା ନଳକୂପ ଠିକାଦାର ବାମଦେବ ସାହୁ ଆଜି ସନ୍ଧ୍ୟାରେ ତାଙ୍କ ପତ୍ନୀ ରୀନାରାଣୀ ସାହୁ(୪୫)ଙ୍କୁ କଟୁରିରେ ହାଣି ହତ୍ୟା କରିଛି। ମା’କୁ ରକ୍ଷା କରିବାକୁ ଯାଇ ମେଧାବୀ ଝିଅ ପୂଜା ସାହୁ(୧୫) ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏବେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ବାମଦେବକୁ ଗିରଫ କରି ଥାନାରେ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ କଟୁରିକୁ ଜବତ କରିଛି। ରୀନାରାଣୀଙ୍କ ମୃତଦେହ ତାଙ୍କ ଘର ଆଗରେ ଥିବାବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହୋଇଛି। ପୁଲିସ, ସ୍ଥାନୀୟ ଲୋକ ଓ ମୃତ ରୀନାଙ୍କ ସଂପର୍କୀୟଙ୍କ କହିବା ମୁତାବକ ବାଲିପାଟଣା ଥାନା ଅଭୟମୁଖୀ ନିକଟ କଣ୍ଟାସାହିର ଜଣାଶୁଣା ଠିକାଦାର ବାମଦେବ ସବୁଦିନ ନିଶା ଖାଇ ଘରେ ପାଟିତୁଣ୍ଡ କରନ୍ତି। ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବାରୁ ଘରେ ଅଶାନ୍ତି ଲାଗିରହେ। ବାମଦେବ ଗାଁଠାରୁ କିଛି ବାଟ ଉଠି ଆସି କେନାଲ ବନ୍ଧ କଡ଼ରେ ଘର କରି ଏକା ରହୁଥିଲେ। ପରିବାର କହିଲେ ପତ୍ନୀ ରୀନାରାଣୀ, ଝିଅ ପୂଜା ଓ ପୁଅ ଚିକୁନ୍‌। ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବାମଦେବ ଓ ତାଙ୍କ ପତ୍ନୀ ରୀନାରାଣୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବାମଦେବ ଏକ କଟୁରିରେ ରୀନାଙ୍କୁ ହଠାତ୍‌ ଆକ୍ରମଣ କରିଥିଲା। ରୀନା ପ୍ରାଣ ବିକଳରେ ଦୌଡ଼ିଥିଲେ ବି ବାମଦେବ ତାଙ୍କୁ ଛାଡ଼ି ନଥିଲା। ରୀନାଙ୍କ କାନମୁଣ୍ଡାକୁ ଚୋଟ ପରେ ଚୋଟ ମାରିଥିଲା। ମା’ଙ୍କ ଚିତ୍କାର ଶୁଣି ଝିଅ ପୂଜା ମା’ଙ୍କୁ ରକ୍ଷା କରିବାକୁ ଚାଲି ଆସିଥିଲେ। ରାଗରେ ଅନ୍ଧ ହୋଇଯାଇଥିବା ବାମଦେବ ଝିଅ ପୂଜାକୁ ବି ଛାଡ଼ି ନଥିଲା। ତାଙ୍କୁ ବି କଟୁରିରେ ଆକ୍ରମଣ କରିଥିଲା। ବାପର କଟୁରି ଚୋଟରେ ଝିଅ ପୂଜାର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଘର ଆଗରେ ପତ୍ନୀ ରୀନା ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବା ବେଳେ ଝିଅ ପୂଜା ବି ରକ୍ତାକ୍ତ ହୋଇଯାଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋରେ ନିମାପଡ଼ା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେତବେଳକୁ ରୀନାଙ୍କ ମୃତ୍ୟୁ ହୋଇସାରିଥିଲା। ଗୁରୁତର ଅବସ୍ଥାରେ ଝିଅ ପୂଜାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପତ୍ନୀ,ଝିଅଙ୍କୁ ଏଭଳି ଆକ୍ରମଣ କରି ବାମଦେବ ଘରୁ କୁଆଡ଼େ ଯାଇ ନଥିଲା। ସେହିଠାରେ ହିଁ ସେ ରହିଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ ବାମଦେବକୁ ତାଙ୍କ ଘରୁ ଗିରଫ କରିଥିଲା। ଥାନାରେ ଅଟକ ଥିବା ବାମଦେବ ଗଣମାଧ୍ୟମକୁ କହିଛି, ମୁଁ ନିଶା ଖାଉଥିବାରୁ ମୋ ପତ୍ନୀ ସବୁବେଳେ ମୋ ସାଙ୍ଗେ ପାଟିତୁଣ୍ଡ କରୁଥିଲା। ଆଜି ମୁଁ ଧାନ ପେଶି ଘରେ ଥିଲି। ସ୍ତ୍ରୀ ମୋ ସାଙ୍ଗେ ପାଟିତୁଣ୍ଡ କରିବାରୁ ମୁଁ ତାକୁ ରାଗରେ ହାଣି ଦେଲି। ଝିଅ ପୂଜା କି ଭୁଲ କରିଥିଲା ବୋଲି ପଚାରିବାରୁ ସେ ଭୋଭୋ ହୋଇ କାନ୍ଦିଥିଲା।

ଅଳ୍ପକେ ରକ୍ଷା ପାଇଲା ଏକମାତ୍ର ପୁଅ
ଏକମାତ୍ର ପୁଅ ଚିକୁନ୍‌ ଗାଁରେ ଯାତ୍ରା ପାର୍ଟି ପଡ଼ିଥିବାରୁ ସେଠାକୁ ବୁଲିବାକୁ ଯାଇଥିଲା। ତେଣୁ ବାପର ଆକ୍ରମଣରୁ ଆଜି ଅଳ୍ପକେ ବର୍ତ୍ତି ଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଝିଅ ପୂଜା ମାଟ୍ରିକ୍‌ରେ ୯୦% ମାର୍କ ରଖିଥିଲେ
ଚଳିତ ମାଟ୍ରିକ୍‌ ପରୀକ୍ଷାରେ ମେଧାବୀ ଝିଅ ପୂଜା ୯୦% ପ୍ରତିଶତ ମାର୍କ ରଖିଥିଲେ। ନିମାପଡ଼ା ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଥିବା ପୂଜା ୫୪୦ ନମ୍ବର ରଖିଥିବାରୁ ଗାଁରେ ଖୁସିର ଲହରୀ ଖେଳିଯାଇଥିଲା। ମା’ଙ୍କ ଜୀବନ ବଞ୍ଚାଇବାକୁ ଯାଇ ପୂଜା ଆଜି ଗୁରୁତର ଆହତ ହୋଇଛନ୍ତି।

ବାପାଙ୍କ ମୃତ୍ୟୁର ୨ଦିନ ପରେ ଝିଅକୁ ହତ୍ୟା
ମୃତ ରୀନାରାଣୀଙ୍କ ବାପା ଭଗବାନ୍‌ ସାହୁଙ୍କ ଗତ ଗୁରୁବାର ଦିନ ମୃତ୍ୟୁ ଘଟିଥିଲା। ଯୋଗେଶ୍ୱରପୁର ବାଉଁଶଗୋରଡ଼ି ଗ୍ରାମକୁ ତାଙ୍କ ସୁଧଘର ପାଇଁ ଝିଅ,ଜ୍ୱାଇଁ ଓ ପିଲାମାନେ ଯାଇଥାନ୍ତେ। କିନ୍ତୁ ବାପାଙ୍କ ମୃତ୍ୟୁର ଠିକ୍‌ ଦୁଇଦିନ ପରେ ଆଜି ଝିଅର ଦୁଃଖଦ ମୃତ୍ୟୁ ଘଟିଛି।

ପରିବାରକୁ ଉଚ୍ଛନ୍ନ କଲା ନିଶା
ଜଣେ ଜଣାଶୁଣା ଠିକାଦାର ସବୁବେଳେ ନିଶା ଖାଇ ଘରେ ଅଶାନ୍ତି ଲଗାଇବା ସହ ଶେଷରେ ଆଜି ଏଭଳି ବୀଭତ୍ସ କାଣ୍ଡ କରିଥିବାରୁ ସ୍ଥାନୀୟ ଲୋକେ ତୀବ୍ର ଭର୍ତ୍ସନା କରୁଥିଲେ। ଠିକାଦାରୀ କରି ଭଲ ଦି ପଇସା ପାଇ ଗାଁରୁ ଉଠିଆସି ଦୂରରେ ଭଲ ଘରଦ୍ୱାର କରି ବାମଦେବ ହସଖୁସିରେ ରହିଥିଲେ। କିନ୍ତୁ ପରେ ତାଙ୍କ ସଂସାରକୁ ନିଶା ଉଚ୍ଛନ୍ନ କଲା ବୋଲି ଲୋକମାନେ ଆଲୋଚନା କରୁଥିଲେ।

ସମ୍ବନ୍ଧିତ ଖବର