ଯୋଦ୍ଧପୁର: କିଛିଦିନ ତଳେ ବେଙ୍ଗାଲୁରୁରେ ଜଣେ ଇଞ୍ଜିନିୟର ଓ ହେଡ କନଷ୍ଟେବଳ ସ୍ତ୍ରୀ ନିର୍ଯାତନା ସହି ନପାରି ସୁଇସାଇଟ ନୋଟ ଲେଖି ଜୀବନ ହାରି ଦେଇଥିବା ବେଳେ ରାଜସ୍ଥାନର ଯୋଦ୍ଧପୁରରୁ ସମାନ ଘଟଣା ସାମ୍ନାକୁ ଆସିଛି।
ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ନିର୍ଯାତନା ସହି ନପାରି ତାଙ୍କ ପରିବାର ସହିତ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ଏହି ସାମୁହିକ ଜୀବନ ହାରିବାା ଘଟଣା ପ୍ରସଙ୍ଗରେ ଏଏସପି ଭୋପାଳ ସିଂ ଲାଖାୱତ କହିଛନ୍ତି,‘ବିଗମି ଗ୍ରାମରେ ବିଷ ପିଇ ୨୭ ବର୍ଷୀୟ ନବରତ୍ନ ସିଂ, ୨୪ ବର୍ଷୀୟ ପ୍ରଦୀପ ସିଂ ଏବଂ ଦୁଇପୁତ୍ରଙ୍କ ମା ଭନବରି ଦେବୀ ଜୀବନ ହାରି ଦେଇଛନ୍ତି।
ସ୍ବାମୀ, ଦିଅର ଓ ଶାଶୁ ଜୀବନ ହାରିବା ସମୟରେ ନବରତ୍ନଙ୍କ ସ୍ତ୍ରୀ ନିତୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡ଼ିଛି। ଜୀବନ ହାରିବା ପୂର୍ବରୁ ନବରତ୍ନ ସିଂ ତାଙ୍କ ସାଙ୍ଗକୁ ଏକ ବାକ୍ସରେ ସୁନାର ଅଳଙ୍କାର ଓ ନୋଟ ଦେଇ କହିଥିଲେ ଏହାକୁ ଦୁଇଘଣ୍ଟା ପରେ ଖୋଲିବ।
ଯେତେବେଳେ ଏହି ବାକ୍ସକୁ ନବରତ୍ନ ସିଂଙ୍କ ସାଙ୍ଗ ଖୋଲିଥିଲେ ସେଥିରୁ ଏକ ନୋଟ ପାଇଥିଲେ। ଯେଉଁଥିରେ ନବରତ୍ନ ତାଙ୍କ ସ୍ତ୍ରୀ ଓ ଶ୍ବଶୁରଘର ଲୋକଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣି ଲେଖିଥିଲେ, ‘ପ୍ରିୟର ପିଣ୍ଟୁ ଭାଇ ମୁଁ ମୋ ଭାଇ ଓ ମା’ ସହିତ ମିଶି ଜୀବନ ହାରି ଦେଉଛି। ସ୍ତ୍ରୀ ଓ ତାର ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ଅସହ୍ୟ ହେଲାଣି। ଆଉ ସହି ହେବ ନାହିଁ। ପ୍ରତିଦିନ ଦୁଃଖ, କଷ୍ଟ, ଯନ୍ତ୍ରଣାରେ ଦିନ କାଟିବା ଅପେକ୍ଷା ଗୋଟେ ଦିନ ହିଁ ଜୀବନକୁ ଶେଷ କରିଦେବା ଠିକ।
ଆଉ ଶୁଣ ସୁନା ଚେନକୁ ମୋ ମାଉସୀ ଓ ମଉସାଙ୍କୁ ଦେଇଥିବ। ଘରେ ଥିବା ଗାଡ଼ି ବିକି ଦେବ। ସେଥିରୁ ଯେଉଁ ଟଙ୍କା ପାଇବ ଗ୍ରାମରେ ଥିବା ଗୋଶାଳାରେ ଦାନ କରିଦେବ। ଆମ ମା’ ପୁଅ ତିନିଜଣଙ୍କ ଶବକୁ ସ୍ତ୍ରୀ କି ତାର ଶ୍ବଶୁର ଘରଲୋକଙ୍କୁ ଛୁଇଁବାକୁ ଦେବନାହିଁ।
ଏହି ନୋଟ ପାଇବାପରେ ନବରତ୍ନଙ୍କ ସାଙ୍ଗ ତୁରନ୍ତ ଏସମ୍ପର୍କରେ ପୁଲିସରେ ସୂଚନା ଦେଇଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବିଳମ୍ବ ହୋଇଯାଇଥିଲା। ନବରତ୍ନ ତାଙ୍କ ଭାଇ ଓ ମା’ଙ୍କ ସହିତ ମିଶି ଜୀବନ ହାରି ଦେଇଥିଲେ। ପୁଲିସ ତିନିଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/16/NXV03VhC5Of4BLsldyqq.jpg)