ସାଙ୍ଗ ସହ ଅନୈତିକ ସଂପର୍କ ଥିବା ନେଇ ସନ୍ଦେହ ହେବାରୁ ସ୍ତ୍ରୀର ସମ୍ବେଦନଶୀଳ ଅଙ୍ଗରେ ଚେଙ୍କ ଦେଲା ସ୍ୱାମୀ

ଅହମ୍ମଦାବାଦ୍‌ : ସନ୍ଦେହ କରି ଜଣେ ସ୍ୱାମୀ ନିଜ ସ୍ତ୍ରୀ ସହ ଯାହା କରିଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ନିଜ ସ୍ତ୍ରୀର ଗୁପ୍ତାଙ୍ଗରେ ଗରମ ଛୁରୀ ଚେଙ୍କ ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାଟି ଅହମ୍ମଦାବାଦ୍‌ର ରାୟଖଣ୍ଡରେ ଘଟିଛି ।

ସୂଚନା ମୁତାବକ, ଗତ ଶୁକ୍ରବାର ଅଭିଯୁକ୍ତ ଘରକୁ ଆସିବା ପରେ ନିଜ ପତ୍ନୀଙ୍କୁ ଅନ୍ୟ ପୁରୁଷ ସହ କଥା ହେଉଥିବା ଶୁଣିଥିଲେ । କଥା ସରିବା ପରେ ଅଭିଯୁକ୍ତ ସ୍ୱାମୀ ନିଜ ପତ୍ନୀ ଉପରେ ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ଥିବାର ଆରୋପ ଲଗାଇ ଥିଲେ । କିନ୍ତୁ ପୀଡ଼ିତା ଏହି ଆରୋପକୁ ନ ମାନିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ମାଡ଼ ଖାଇବା ପରେ ପୀଡ଼ିତା ଅଚେତ୍‌ ହୋଇଯିବାରୁ ତାଙ୍କୁ ଚେତାକୁ ଆଣିବା ପାଇଁ ଅଭିଯୁକ୍ତ ଛୁରୀ ଗରମ କରି ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଚେଙ୍କି ଦେଇଥିଲେ । ପରଦିନ ପୁଣି ଦୁହିଁଙ୍କ ମଧ୍ୟରେ ଅନୈତିକ ସଂପର୍କକୁ ନେଇ ଝଗଡ଼ା ହେବାରୁ ଅଭିଯୁକ୍ତ ସ୍ୱାମୀ ଦ୍ୱିତୀୟ ଥର ମଧ୍ୟ ଛୁରୀ ଗରମ କରି ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଚେଙ୍କି ଦେଇଥିଲେ ।

ରବିବାର ଅଭିଯୁକ୍ତ ଏକ ବିବାହ ଭୋଜିକୁ ଯୋଗ ଦେବା ପାଇଁ ଯାଇଥିବା ବେଳେ ପୀଡ଼ିତା ଘରୁ ଖସି ଯାଇ ନିଜ ପରିବାର ଲୋକଙ୍କୁ ପୂରା ଘଟଣା ଜଣାଇଥିଲେ । ଯାହା ପରେ ପରିବାର ଲୋକେ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ସହ ଅଭିଯୁକ୍ତ ସ୍ୱାମୀ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏବେ ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର