ଦୁଇ ପତ୍ନୀଙ୍କୁ ନିର୍ଯାତନା, ଜେଲ୍‌ ଗଲେ ସ୍ୱାମୀ

ଧଉଳି: ଦୁଇ ପତ୍ନୀଙ୍କୁ ନିର୍ଯାତନା ଦେବା ପରେ ତୃତୀୟ ବିବାହ କରିଥିବା ଜଣେ ବ୍ୟକ୍ତିକୁ ଉତ୍ତରା ଫାଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପ୍ରତାରକ ସ୍ୱାମୀ ଜଣକ ହେଲେ ଏହି ଫାଣ୍ଡି ଅନ୍ତର୍ଗତ ଶିଉଳା ଗ୍ରାମର ସନ୍ତୋଷ ରାଉତ (୩୩)। ତେବେ ଜାମିନ ନାମଞ୍ଜୁୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଉତ୍ତରା ଫାଣ୍ଡି ଅଧିକାରୀ ବେଣୁଧର ରାୟ କହିଛନ୍ତି।

ଏ ସଂପର୍କରେ ତାଙ୍କର ପ୍ରଥମ ପତ୍ନୀ ତନୁବାଳା ରାଉତ ଓ ଦ୍ୱିତୀୟ ପତ୍ନୀ ଶୁଭଶ୍ରୀ ରାଉତ ଉତ୍ତରା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସୂଚନାନୁଯାୟୀ ଶିଉଳାର ଜୟକୃଷ୍ଣ ରାଉତଙ୍କ ପୁଅ ସନ୍ତୋଷ ଜଣେ ଅଟୋଚାଳକ। ଲିଜ୍‌ରେ ଗାଡ଼ି ଆଣି ଚଳାନ୍ତି। ୩ ବର୍ଷ ଲେଖାଏଁ ବ୍ୟବଧାନରେ ସେ ତିନି ଜଣ ଯୁବତୀଙ୍କୁ ବିବାହ କରିଛନ୍ତି। ୨୦୧୦ ମସିହାରେ ସେ ପ୍ରଥମେ କଣାସ ଥାନା ଅନ୍ତର୍ଗତ ଛାଟିଆପଡ଼ା ଗ୍ରାମର ବେଣୁଧର ରାଉତଙ୍କ ଝିଅ ତନୁବାଳା ରାଉତଙ୍କୁ ବିବାହ କରିଥିଲେ। ତାଙ୍କର ୭ ବର୍ଷର ପୁଅ ଏବେ ତନୁବାଳାଙ୍କ ପାଖରେ ରହୁଛି। ଏହାପରେ ୨୦୧୩ରେ ପିପିଲି ଥାନା ଅନ୍ତର୍ଗତ ଭଉଳ ଗ୍ରାମରେ ମାମୁଘରେ ରହୁଥିବା ଶୁଭଶ୍ରୀ ରାଉତଙ୍କୁ ବିବାହ କରିଥିଲେ। ସେମାନଙ୍କର ମଧ୍ୟ ଗୋଟିଏ ବର୍ଷକର ପୁଅ ଅଛି। ଉଭୟ ତନୁବାଳ ଓ ଶୁଭଶ୍ରୀଙ୍କୁ ସନ୍ତୋଷ ମାନସିକ ଓ ଶାରୀରିକ ଦେବା ସହ ଘରୁ ତଡ଼ି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାପରେ ୨୦୧୬ ମସିହାରେ ଅନୁରୂପ ଭାବେ କଟକ ଜିଲ୍ଲା ନରାଜ ଅଞ୍ଚଳର ଭାରତୀ ନାୟକଙ୍କୁ ବିବାହ କରିଥିଲେ । ବର୍ତମାନ ଦୁହେଁ ବାଲିଅନ୍ତା ଥାନା ଅଧୀନ ସତ୍ୟଭାମାପୁର ଗ୍ରାମରେ ରହୁଛନ୍ତି। ହେଲେ ଏହି ପ୍ରଥମ ଓ ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗକୁ ଆଧାର କରି ଫାଣ୍ଡି ପୁଲିସ କେସ୍‌ ନଂ ୭୧ / ୧୮ରେ ୪୯୮ ( କ ) , ୪୯୪/ ୫୦୬ ଦଫାରେ ମାମଲା ରୁଜୁ କରି ସନ୍ତୋଷକୁ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର