ଯୌତୁକ ଟଙ୍କା ଆଦାୟ କରିବାକୁ ମହିଳାଙ୍କ କିଡ୍‌ନି ବିକିଦେଲେ ସ୍ୱାମୀ ଓ ଦିଅର; ତିନି ଗିରଫ

ବର୍‌ହମ୍‌ପୁର: ଜଣେ ୨୮ ବର୍ଷୀୟ ମହିଳାଙ୍କ ଅଭିଯୋଗ ଆଧରରେ ପଶ୍ଚିମବଙ୍ଗ ପୁଲିସ ତାଙ୍କର ସ୍ୱାମୀ ଏବଂ ଦିଅରଙ୍କୁ ଗିରଫ କରିଛି। ମହିଳାଙ୍କ ଅଭିଯୋଗ: ସେମାନେ ଦାବି କରିଥିବା ୨ ଲକ୍ଷ ଟଙ୍କାର ଯୌତୁକ ଦେବାକୁ ତାଙ୍କ ପରିବାର ଅସମର୍ଥ ହେବାରୁ ଦିହେଁ କୌଶଳରେ ତାଙ୍କର ଗୋଟାଏ ବୃକ୍କ (କିଡ୍‌ନି) ବିକ୍ରୟ କରି ଦେଇଛନ୍ତି।

ରୀତା ସରକାର ନାମ୍ନୀ ସେ ମହିଳା କରିଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ୧୨ ବର୍ଷ ହେବ ବିଭା ହୋଇଥିବା ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ ଯୌତୁକ ପାଇଁ ତାଙ୍କ ଉପରେ ସବୁବେଳେ ଅତ୍ୟାଚାର କରି ଆସୁଥିଲେ। ତାଙ୍କ ଆପେଣ୍ଡିକ୍‌ସ୍‌ ଯନ୍ତ୍ରଣାର ସୁଯୋଗ ନେଇ ତାଙ୍କ କିଡ୍‌ନିରୁ ଗୋଟାଏ ଚୋରାଇ ନେଇଛନ୍ତି।

ସେ କହନ୍ତି: ପ୍ରାୟ ଦୁଇ ବର୍ଷ ତଳେ ମୋର ଭୀଷଣ ପେଟ ବ୍ୟଥା ହେଲା। ସ୍ୱାମୀ ମତେ କୋଲକାତାସ୍ଥିତ ଏକ ଘରୋଇ ନର୍ସିଂହୋମ୍‌କୁ ନେଇଗଲେ। ଫୁଲି ଯାଇଥିବା ଆପେଣ୍ଡିକ୍‌ସ୍‌କୁ ଅପରେସନ୍‌ କରି ବାହାର କରିଦେଲେ ମୁଁ ଆରୋଗ୍ୟ ହୋଇଯିବି ବୋଲି ସ୍ୱାମୀ ଏବଂ ମେଡିକାଲ୍‌ର କର୍ମଚାରୀମାନେ କହିଲେ।

କିନ୍ତୁ ଅପରେସନ୍‌ ପରେ ମଧ୍ୟ ଯନ୍ତ୍ରଣା ତୀବ୍ରତର ହେବାକୁ ଲାଗିଲା। ସ୍ୱାମୀ ମତେ ଖବରଦାର କରାଇ କହିଲେ କି, ଅପରେସନ୍‌ କଥା କୋଲକାତାରେ କାହାକୁ କହିବୁ ନାହିଁ। ଯନ୍ତ୍ରଣାର ଚିକିତ୍ସା କରାଇବାକୁ ମତେ ଡାକ୍ତରଙ୍କ ପାଖକୁ ନେଇ ଯିବାକୁ କହିଲି, କିନ୍ତୁ ସେ କିଛି ଶୁଣିଲେନି।

ପ୍ରାୟ ତିନି ମାସ ତଳେ ବାପଘର ଲୋକେ ରୀତାଙ୍କୁ ନର୍ଥ ବେଙ୍ଗଲ୍‌ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତରମାନେ ଦେଖିଲେ ତାଙ୍କ ଡାହଣ କିଡ୍‌ନିଟି ନାହିଁ।

ଆଚମ୍ବିତ ହୋଇ ସେ ମାଲ୍‌ଦାସ୍ଥିତ ଏକ ନର୍ସିଂହୋମ୍‌ରେ ଦ୍ୱିତୀୟ ବାର ପରୀକ୍ଷା କରାଇ ଜାଣିଲେ ସତକୁ ସତ ତାଙ୍କର ଗୋଟାଏ କିଡ୍‌ନି ନାହିଁ।
ରୀତା ଅଭିଯୋଗ କରି କହନ୍ତି: ସେତେବେଳେ ମୁଁ ଜାଣିଲି ଅପରେସନ୍‌ କଥା କାହାକୁ ନ କହିବାକୁ ସ୍ୱାମୀ କାହିଁକି ମତେ କହୁଥିଲେ। ମୋ ବାପଘର ଯୌତୁକ ଦେଇ ନ ପାରିବାରୁ ସେ ବାବଦରେ ଅର୍ଥ ପାଇବାକୁ ସେ ମୋ କିଡ୍‌ନି ବିକ୍ରି କରିଛନ୍ତି।

ତା’ପରେ ରୀତା ବାପଘର ଉତ୍ତରବଙ୍ଗର ଫରାକ୍କା ଥାନାରେ ମୁର୍ଶିଦାବାଦ ଜିଲ୍ଲାର ଲାଲ୍‌ଗୋଲାବାସୀ ଲୁଗାବ୍ୟବସାୟୀ ସ୍ୱାମୀ ବିଶ୍ୱଜିତ ସରକାର, ଦିଅର ଶ୍ୟାମଳ ଏବଂ ଶାଶୂ ବୁଲାରାଣୀଙ୍କ ବିରୋଧରେ ଅଭିଯୋଗ ଦାଏର କଲେ।

ସୋମବାର ଦିନ ସ୍ୱାମୀ ଓ ଦିଅରଙ୍କୁ ଗିରଫ କରାଯାଇଛି ବୋଲି ଇନ୍‌ସ୍‌ପେକ୍ଟର୍‌ ଉଦୟଶଙ୍କର ରୟ କହିଛନ୍ତି। ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୯, ଧାରା ୨୧, ଧାରା ୩୦୭ ଏବଂ ଧାରା ୪୯୮ ଲାଗୁ କରାଯାଇଛି।

ଚଣ୍ଡିଗଡ଼ସ୍ଥିତ ଜଣେ ବ୍ୟବସାୟୀଙ୍କୁ କିଡ୍‌ନି ବିକା ଯାଇଥିବା କଥା ସେମାନେ ସ୍ୱୀକାର କରିଛନ୍ତି। ଅପରେସନ୍‌ କରାଯାଇଥିବା କୋଲକାତା ଡାକ୍ତରଖାନା ଉପରେ ମୁର୍ଶିଦାବାଦ ପୁଲିସ ଚଢ଼ଉ କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏଥିରେ କିଡ୍‌ନି ଚୋରା ଚାଲାଣକାରୀ ଦଳ ସମ୍ପୃକ୍ତ ଥିବା କଥା ପୁଲିସ ସନ୍ଦେହ କରୁଛି। ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର