ନୂଆଦିଲ୍ଳୀ: ‘ଯାହାକୁ ଆପଣ ପ୍ରେମ କରନ୍ତି ତା’ଠାରୁ ଅଲଗା ହେବା ଖୁବ୍ ଯନ୍ତ୍ରଣା ଦେଇଥାଏ। ମାତ୍ର ତା’ଠାରୁ ବି ଅଧିକ ଯନ୍ତ୍ରଣା ମିଳିଥାଏ ଯେତେବେଳେ ଆପଣ ପ୍ରେମ କରୁଥିବା ବ୍ୟକ୍ତି ଜଣକ ଆପଣଙ୍କୁ ନେଇ ଖାମ୍ଖିଆଲି ହୋଇଥାନ୍ତି।’ ସୋସିଆଲ୍ ମିଡିଆରେ ଏପରି ଏକ ଭାବପ୍ରବଣ ପୋଷ୍ଟ୍ ପାକିସ୍ତାନୀ-ଆମେରିକୀୟ ସାନିଆ ଖାନ୍ଙ୍କର ଶେଷ ପୋଷ୍ଟ୍ ସାବ୍ୟସ୍ତ ହୋଇଛି। କାହିଁକି ନା, ଏହି ପୋଷ୍ଟ୍ କରିବା ପରେ ମହିଳା ଜଣକ ଆଉ ଜୀବିତ ନାହାନ୍ତି। ଜାଣିବାକୁ ମିଳିଛି ଯେ ମହିଳା ଜଣକ ତାଙ୍କ ବୈବାହିକ ଜୀବନରେ ଖୁବ୍ ଦୁଃଖୀ ଥିଲେ। ସେ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ। ଏହି ରାଗରେ ଆସି ମହିଳାଙ୍କ ପତି ତାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି।
ଜାଣିବାକୁ ମିଳିଛି ଯେ ପତ୍ନୀଙ୍କୁ ମାରିବା ପାଇଁ ତାଙ୍କ ସ୍ବାମୀ ୧୧୦୦ କିଲୋମିଟର୍ ବାଟ୍ ପାର୍ ହୋଇ ପତ୍ନୀଙ୍କ ପାଖରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। କାହିଁକି ନା, ମହିଳାଙ୍କ ଅନେକ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ସ୍ପଷ୍ଟ ଜଣାପଡୁଛି ଯେ ସେ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ।
ଏପରିକି ସେ ଏକ ଟିକ୍ଟକ୍ ଭିଡିଓ ପୋଷ୍ଟ୍ କରି ଦକ୍ଷିଣ ଏସିଆର ମହିଳାମାନଙ୍କୁ ଛାଡ଼ପତ୍ର ନେବାକୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ସେ ସଂପର୍କରେ କହିଛନ୍ତି। ସୋନିଆ ଫଟୋଗ୍ରାଫି କରିବାକୁ ଆମେରିକାର ଅଲ୍ଫ୍ରେଟାରୁ ଚିକାଗୋ ଆସିଥିଲେ। ସେଇଠାରେ ହିଁ ତାଙ୍କ ସ୍ବାମୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଣାପଡ଼ିଛି କି ସୋନିଆଙ୍କ ସ୍ବାମୀ କେବଳ ତାଙ୍କୁ ହତ୍ୟା କରିବାକୁ ଅଲ୍ଫ୍ରେଟା(ଜର୍ଜିୟା)ରୁ ଚିକାଗୋ ଆସିଥିଲେ। ସୋନିଆଙ୍କୁ ହତ୍ୟା କରିବା ପରେ ସେ ନିଜେ ବି ଜୀବନ ହାରିଛନ୍ତି।