ବର୍ଷବର୍ଷ ଧରି ପତ୍ନୀଙ୍କୁ ଘରେ ବନ୍ଦୀ କରି ରଖିଥିଲା, ରୋଗରେ ପଡ଼ିବା ହେତୁ ଲୁହା ରଡରେ ପିଟିପିଟି ହତ୍ୟା କଲା ସ୍ୱାମୀ

ହରିୟାଣା: ହରିୟାଣାର ଯମୁନାନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜର ରୋଗୀ ପତ୍ନୀଙ୍କୁ ଲୁହା ରଡରେ ପିଟିପିଟି ହତ୍ୟା କରିଥିବା ଖବର ମିଳିଛି। ଅଭିଯୁକ୍ତଙ୍କ ଘର ଲୋକଙ୍କ କହିବାନୁସାରେ ମହିଳାଙ୍କ ମୃତ୍ୟୁ ହୃତଘାତରେ ହୋଇଥିଲା। କିନ୍ତୁ ଅନ୍ତିମ ସଂସ୍କାର ପାଇଁ ମୃତ ମହିଳାଙ୍କ ପରିବାର ଲୋକ ଯେତେବେଳେ ପହଞ୍ଚି ଥିଲେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ସନ୍ଦେହ ହୋଇଥିଲା ଏବଂ ଏହି ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ।

ମୃତ ମହିଳାଙ୍କ ଭାଇଙ୍କ କହିବାନୁସାରେ, ମୋର ଭଉଣୀର ବିବାହ ୧୯୯୨ ମସିହାରେ ହୋଇଥିଲା। ଭଉଣୀର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିଲା। ମୋ ଭେଣେଇ ଅନେକ ଦିନ ହେବ ଘରେ ଭଉଣୀକୁ ବନ୍ଦୀ କରି ରଖିଥିଲେ। କଥା କଥାରେ ମାରପିଟ କରିବା ଆରମ୍ଭ କରିଦିଅନ୍ତି। କୌଣସି ସ୍ଥାନକୁ ଯିବାକୁ ଦିଅନ୍ତି ନାହିଁ। ଏମିତି କି ପାଖପଡୋଶିଙ୍କ ସାଥୀରେ ବି କଥା ହେବାକୁ ବାରଣ କରନ୍ତି। କିଛି ଦିନ ହେବ ଭଉଣୀର ଶରୀରଅସୁସ୍ଥ ହୋଇ ପଡ଼ିଥିଲା। କାହିଁକି ଶରୀରଅସୁସ୍ଥ ହେଲା ବୋଲି ରାଗରେ ସେ ମୋ ଭଉଣୀକୁ ଲୁହା ରଡରେ ପିଟିପିଟି ହତ୍ୟା କରି ଦେଇ ହୃତଘାତର ନାମ ଦେଇଥିଲେ।

ରିପୋର୍ଟ ଅନୁସାରେ, ଯେତେବେଳେ ଶବର ଯାଞ୍ଚ କରାଯାଇଥିଲା ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଇଥିଲା ବୋଲି ଜଣାପଡ଼ିଥିଲା। ହାତର ହାଡ ଭାଙ୍ଗି ଯାଇଥିଲା। ଗୋଡ ଓ ମଥାରେ ବି କ୍ଷତ ଚିହ୍ନ ଥିଲା। କ୍ଷତ ଚିହ୍ନ ଦେଖି ଜଣାପଡ଼ଥିଲା କି ମହିଳାଙ୍କୁ ତାଙ୍କ ସ୍ୱାମୀ ଅତି ନିର୍ମମ ଭାବେ ଲୁହା ରଡରେ ପିଟିପିଟି ହତ୍ୟା କରିଥିଲେ ବୋଲି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମହିଳାଙ୍କ ମୃତଦେହକୁ ସରକାରୀ ହସ୍‌ପିଟାଲରେ ରଖାଯାଇଥିଲା। ମୃତ ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର