ପତ୍ନୀକୁ ହତ୍ୟା କରି ସ୍ବାମୀ ଫେରାର

ଦୁଇ ଦିନ ପରେ ଖଟ ତଳୁ ଗଳିତ ଶବ ଜବତ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଦତ୍ତତୋଟା ଜଗନ୍ନାଥ କଲୋନିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଅତି ନୃଶଂସ ଭାବେ ହତ୍ୟା କରିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଏକ କମ୍ବଳରେ ମୃତଦେହକୁ ଘୋଡ଼ାଇ ଖଟ ତଳେ ରଖି ଫେରାର୍‌ ହୋଇଯାଇଛି। ମହିଳାଙ୍କ ମୃତ୍ୟୁର ଦୁଇ ଦିନ ପରେ ଆଜି ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବକୁ ଜବତ କରିଛି। ମୃତ ମହିଳାଙ୍କ ଭଉଣୀର ଅଭିଯୋଗକୁ ଭିତ୍ତି କରି ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରାଜସୁନାଖଳା ମଠ ସାହିର ହଳଦିପଡ଼ା ନିବାସୀ ରମେଶ ବେହେରା ନିଜ ପତ୍ନୀ ପୂଜା ବେହେରା (୨୬)ଙ୍କ ସହିତ ଦତ୍ତତୋଟା ଜଗନ୍ନାଥ କଲୋନିରେ ଭଡ଼ାରେ ରହୁଥିଲେ। ଉଭୟଙ୍କର ଗୋଟିଏ ୯ ବର୍ଷର ପୁଅ ଓ ୭ ବର୍ଷର ଝିଅଟିଏ ଅଛି। ଭାଇଭଉଣୀ ନିଜ ମାମୁଁ ଘରେ ରହୁଥିବା ବେଳେ ପତ୍ନୀ ପୂଜାକୁ ନେଇ ରମେଶ ନିକଟରେ ଗାଁକୁ ଯାଇ ୧୬ ତାରିଖରେ ଦତ୍ତତୋଟାସ୍ଥିତ ଭଡ଼ା ଘରକୁ ଫେରିଥିଲେ। ଫେରିବା ପରେ ପୂଜା ଫୋନରେ ନିଜ ସାନଭଉଣୀ ସଠେଇ ସହିତ କଥାବାର୍ତ୍ତା ହେଉଥିବା ବେଳେ ରମେଶ ତାଙ୍କୁ ସନ୍ଦେହ କରିଥିଲା। କାହାକୁ ଫୋନ କରୁଛୁ ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ଏବଂ ଏଥିରେ ରାଗିଯାଇ ପୂଜାଙ୍କ ତଣ୍ଟିଚିପି ରମେଶ ହତ୍ୟା କରିଥିଲା ବୋଲି ପୂଜାଙ୍କ ଭଉଣୀ ସଠେଇ ଦାସ ଅଭିଯୋଗ କରିଛନ୍ତି। ଶବକୁ ଅଖାରେ ପୂରାଇ ଖଟ ତଳେ ରଖି ରମେଶ ଫେରାର ହୋଇ ଯାଇଥିଲା। ଗତକାଲି ରମେଶ ଏ ସମ୍ପର୍କରେ ତା’ ଭାଉଜଙ୍କ ଭଉଣୀକୁ ଫୋନରେ ଜଣାଇ ଫୋନ ସୁଇଚଅଫ୍‌ କରି ଦେଇଥିଲା। ଆଜି ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ କୁମ୍ଭାରପଡ଼ା ଥାନାକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ଥାନା ଆଇଆଇସି ସୁଜିତ ଦାସ, ସିଟି ଡିଏସ୍‌ପି ସୁଧାକର ସାହୁ ସାଇଣ୍ଟିଫିକ୍ ଟିମକୁ ସାଙ୍ଗରେ ନେଇ ଶବ ଜବତ କରିଥିଲେ। ଏ ନେଇ ମୃତ ପୂଜାଙ୍କ ଭଉଣୀ କଟକ ବୈଦେଶ୍ବର ନିବାସୀ ସୁଦର୍ଶନ ଦାସଙ୍କ ଝିଅ ସଠେଇ ଦାସ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର