ନୂଆଦିଲ୍ଲୀ: ୟୁକ୍ରେନରେ ରହୁଥିବା ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଦୁଃଖର ବିଷୟ ହେଉଛି ମହିଳାଙ୍କ ସ୍ବାମୀଙ୍କୁ ଗୁଳିମାରି ହତ୍ୟା କରିବା ପରେ ପିଲାଙ୍କ ସାମ୍ନାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ୟୁକ୍ରେନ ସାଂସଦ ମାରିଆ ମେଜେଣ୍ଟସେବା ନିକଟରେ ହୋଇଥିବା ଏକ ସାକ୍ଷାତକାରରେ କହିଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଘଟଣା ପୂର୍ବରୁ ୟୁକ୍ରେନରେ କିଛି ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ୟୁକ୍ରେନ ନେତା ମାରିଆ କହିଛନ୍ତି, କିଭରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ପିଲାଙ୍କ ସାମ୍ନାରେ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ନେଇ ଆମେ ଶାନ୍ତିରେ ବସି ପାରିବୁ ନାହିଁ। ଆଖି ସାମ୍ନାରେ ମା’କୁ ଏଭଳି କଲବଲ ହେଉଥିବା ଦେଖି ପିଲାଙ୍କ ଉପରେ କ’ଣ ବିତିଥିବ ତାହା ଚିନ୍ତା କଲା ବେଳକୁ ବହୁତ କଷ୍ଟ ଲାଗୁଛି।
ତେବେ କୁହାଯାଉଛି କି ପୀଡିତାଙ୍କ ଘରେ ଋଷ ସୈନିକମାନେ ମଦପିଇ ପ୍ରବେଶ କରିଥିଲେ। ପ୍ରଥମେ ସେମାନେ ପୀଡିତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ପିଲାଙ୍କ ସାମ୍ନାରେ ମା’କୁ ଦୁଷ୍କର୍ମ କରିଥିଲେ। ମା’ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସେମାନେ ପିଲାଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।
ଏହି ଘଟଣା ପୂର୍ବରୁ ଦୁଇଜଣ ଋଷ ସୈନିକ ପୂର୍ବ କିଭର ବ୍ରେବରିରେ ମହିଳାଙ୍କ ଉପରେ ଅତ୍ୟାଚାର କରିଥିବା ଘଟଣା ବି ସାମ୍ନାକୁ ଆସିଥିଲା। ଏତଦବ୍ୟତୀତ ଜଣେ ମହିଳା ଗତ ସପ୍ତାହରେ ୟୁକ୍ରେନର ଇରପିନ ନାମକ ସହରରୁ ପଳାଇ ଆସିଥିଲେ। ସେ ଅଭିଯୋଗ କରିଥିଲେ କି ଋଷ ସେନାର ଯବାନ୍ ମହିଳାମାନଙ୍କ ସହିତ ଦୁଷ୍କର୍ମ କରିବା ସହିତ ସେମାନଙ୍କୁ ନିର୍ଯାତନା ଦେଇ ଗୁଳିମାଡ଼ ବି କରୁଛନ୍ତି।