ରୁଟିର ଆକାର ଠିକ ନ ହେବାରୁ ସ୍ୱାମୀଙ୍କ ଠାରୁ ଗାଳିମାଡ଼ ଖାଉଥିବା ମହିଳା ଛାଡ଼ପତ୍ର ଆବେଦନ କଲେ

ପୁନେ : ମହାରାଷ୍ଟ୍ରର ପୁଣେରେ ଛାଡ଼ପତ୍ରର ଏକ ଅଦ୍ଭୁତ ଘଟଣା ସମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବା ପାଇଁ କୋର୍ଟରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କର ଛାଡ଼ପତ୍ରର କାରଣ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳାଙ୍କ ସ୍ୱାମୀ ପ୍ରତିଦିନ ତାଙ୍କୁ ୨୦ ସେଣ୍ଟିମିଟର ଆକାରର ରୁଟି କରିବା ପାଇଁ କହୁଥିବାରୁ ସେ ଛାଡ଼ପତ୍ର ନେବା ପାଇଁ ଚାହାନ୍ତି ବୋଲି ବିଚାରପତିଙ୍କୁ ଜଣାଇଥିଲେ । ଖାଲି ସେତିକି ନୁହେଁ, ତାଙ୍କ ରୁଟିର ଆକାର ଟିକେ ଏପଟସେପଟ ହେଲା ମାତ୍ରେ ତାଙ୍କ ସ୍ୱାମୀ ତାଙ୍କୁ ମାରପିଟ କରୁଛନ୍ତି ବୋଲି ମଧ୍ୟ ସେ ଅଦାଲତକୁ ଜଣାଇଥିଲେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ , ତାଙ୍କ ସ୍ୱାମୀ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ତାଙ୍କୁ ସମସ୍ତ ଜିନିଷ ନିର୍ଭୁଲ ଦରକାର ହେଉଥିଲା । ଏପରି କି ସେ ପ୍ରତିଦିନ ନିଜ ସ୍ତ୍ରୀଙ୍କ ଠାରୁ ତାଙ୍କ ଘରକାମର ଚିଠା ଭିନ୍ନ ଭିନ୍ନ ରଙ୍ଗିନ କାଗଜରେ ଲେଖା ନେଉଥିଲେ । ଯଦି କେଉଁ ଦିନ ଭୁଲରେ ମଧ୍ୟ ମହିଳା ଜଣଙ୍କ ତାଙ୍କର ଦୈନଦିନ କାର୍ଯ୍ୟର କିଛି ବିବରଣୀ ଦେବା ପାଇଁ ଭୁଲି ଯାଇଥିବେ ତେବେ ତାଙ୍କୁ ଅନେକ ପ୍ରକାରର ଗାଳି ଶୁଣିବାକୁ ପଡ଼ୁଥିଲା । ବେଳେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଦଣ୍ଡ ଦେବାକୁ ଯାଇ ତାଙ୍କ ଉପରେ ଥଣ୍ଡା ପାଣି ଢ଼ାଳି ତାଙ୍କୁ ଏସି ରୁମରେ ବସାଇ ଦେଉଥିଲେ।

Times of India

ମହିଳାଙ୍କ ବିବାହ ୨୦୦୮ ମସିହାରେ ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ ରହିଛି । ବିବାହ ବେଳେ ତାଙ୍କ ସ୍ୱାମୀ ଏଭଳି ବ୍ୟବହାର କରୁନଥିଲେ । ବିବାହର ଦୁଇ-ତିନିି ବର୍ଷ ପରେ ସେ ଏଭଳି ବ୍ୟବହାର କରିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମହିଳା । ପ୍ରତିଦିନ ସେ ତାଙ୍କ ପତ୍ନୀଙ୍କ ପାଇଁ ନୂଆ ନୂଆ ନିୟମ ଲାଗୁ କରୁଥିବା ବେଳେ ମହିଳା ଜଣଙ୍କ କେବଳ ତାଙ୍କ ଝିଅ ପାଇଁ ସବୁ କିଛି ସହି ଆସୁଥିଲେ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ବଞ୍ଚିବା ଅସମ୍ଭବ ହୋଇଯାଇଛି। ଏଣୁ ସେ ଛାଡ଼ପତ୍ର ପାଇଁ କୋର୍ଟ ନିକଟରେ ଆବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର