ବେଙ୍ଗାଲୁରୁ: ସାଥୀ ହୋଇ ରହିବୁ କହି ଧୋକା ଦେଲା ସ୍ବାମୀ। ପରିବାର ଅଦାଲତରେ ସମସ୍ତଙ୍କ ଆଗରେ ସ୍ତ୍ରୀ ସହ ରହିବି ବୋଲି କହିଲା ସ୍ବାମୀ। ହେଲେ ଅଦାଲତର ଦୁଆର ଡେଇଁବା ପରେ ସ୍ବାମୀ ପିଶାଚ ପାଲଟିଯିବ ବୋଲି କାହାକୁ ଜଣାନଥିଲା। ସାଥୀରେ ରହିବାକୁ ଚାହୁଁନଥିବାରୁ ଅଦାଲତରୁ ବାହାରକୁ ଆସିବା ପରେ ସ୍ତ୍ରୀର ଗଳା କାଟି ହତ୍ୟା କରିବା ସହ ନିଜ ଝିଅ ଉପରେ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିବା ଜଣାପଡ଼ିଛି। ଘଟଣାଟି ଶନିବାର କର୍ଣ୍ଣାଟକର ହାସନ ଜିଲ୍ଲାରେ ଘଟିଛି।
ଏହି ହତ୍ୟା ଘଟଣା ହୋଲନରସିପୁରା ଟାଉନ କୋର୍ଟ ପରିସରରେ ଘଟିଛି। ମୃତ ମହିଳାଜଣକ ଥାଟେକେର ଗାଁର ବାସିନ୍ଦା ଚୈତ୍ରା ବୋଲି ଜଣାପଡିଛି। ଚୈତ୍ରା ଏବଂ ଅଭିଯୁକ୍ତ ସ୍ୱାମୀ ଶିବକୁମାର ପରସ୍ପରଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିବା ବେଳେ ମାମଲା ଯାଇ କୋର୍ଟରେ ପହଞ୍ଚିଥିଲା। ଚୈତ୍ରା ଏବଂ ଶିବକୁମାରଙ୍କ ମଧ୍ୟରେ ଛାଡପତ୍ର ମାମଲାର ଶୁଣାଣି ହାସନ ଜିଲ୍ଲାର ହୋଲନରସିପୁରା କୋର୍ଟରେ ଚାଲିଥିଲା। ଦୁହେଁ ୭ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଏକ ଝିଅ ମଧ୍ୟ ଅଛି।
ଶନିବାର ହୋଲନରସିପୁରା କୋର୍ଟରେ ଏକ ଲୋକ ଅଦାଲତର ଆୟୋଜନ କରାଯାଇଥିଲା, ଯେଉଁଠାରେ ବିଚାରପତି ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ଦମ୍ପତିଙ୍କୁ ଏହି ଛାଡପତ୍ର ଆବେଦନ ପ୍ରତ୍ୟାହାର କରିବାକୁ କହିଥିଲେ। ଏହା ସହ ପରସ୍ପର ମଧ୍ୟରେ ସମସ୍ୟାର ସମାଧାନ କରିବାକୁ କହିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଦୁହିଁଙ୍କୁ ବୁଝାସୁଝା କରିବା ପରେ ଦୁହେଁ ଛାଡପତ୍ର ଆବେଦନ ପ୍ରତ୍ୟାହାର କରି ନିଜ ଝିଅ ପାଇଁ ଏକାଠି ରହିବାକୁ ରାଜି ହୋଇଥିଲେ। ହେଲେ କୋର୍ଟ ବାହାରକୁ ଆସିବା ମାତ୍ରେ ହିଁ ଶିବକୁମାର ଚୈତ୍ରା ଓ ନିଜ ଝିଅକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଚୈତ୍ରାଙ୍କ ମୃତ୍ୟୁ ହେବା ସହ ତାଙ୍କ ଝିଅ ସାମାନ୍ୟ ଆହତ ହୋଇଥିଲେ। ଏଭଳି ଆକ୍ରମଣ କରି ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲେ ବି କୋର୍ଟ ପରିସରରେ ଥିବା ଲୋକ ତାଙ୍କୁ କାବୁ କରିନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-138.jpg)