ବାନ୍ଦା: ପୁଅ ଓ ପୁତୁରାଙ୍କ ସହଯୋଗରେ ଜଣେ ସ୍ବାମୀ ନିଜ ଦ୍ବିତୀୟ ସ୍ତ୍ରୀକୁ ହତ୍ୟା କରିଥିବା କଥା ଶୁକ୍ରବାର ଦିନ ଉତ୍ତର ପ୍ରଦେଶ ପୁଲିସ କହିଛି।
ସଂଗୃହୀତ ସୂଚନା ଅନୁସାରେ, ଶୁକ୍ରବାର ଦିନ ବାନ୍ଦା ଜିଲ୍ଲାରେ ପୁଲିସ ମୁଣ୍ଡ ଓ ୪ଟି ଆଙ୍ଗୁଠି କଟା ଯାଇଥିବା ଜଣେ ମହିଳାଙ୍କ ଶବ ପାଇଥିଲେ।
ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଙ୍କୁର ଅଗରୱାଲ୍ଙ୍କ କହିଛନ୍ତି, ଅର୍ଦ୍ଧନଗ୍ନା ଅବସ୍ଥାରେ ମରିପଡ଼ିଥିବା ସେ ମହିଳାଙ୍କ ବୟସ ୩୪ରୁ ୪୦ ମଧ୍ୟରେ ହେବ। ଗଣ୍ଡିଠାରୁ କିଛି ଦୂରରେ ତାଙ୍କ ମୁଣ୍ଡ ପଡ଼ିଥିଲା।
ଶବଟି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ନିବାସୀ ରାମକୁମାର ଅହିୱାର୍ଙ୍କ ସ୍ତ୍ରୀ ମାୟା ଦେବୀଙ୍କର ବୋଲି ଚିହ୍ନଟ କରାଯାଇଛି। ମୃତା ମାୟାଙ୍କର ୪ଟି ଆଙ୍ଗୁଠି କଟାଯିବା ସହିତ ଚିହ୍ନି ନ ହେବା ଲାଗି ତାଙ୍କର କେଶ କାଟି ଦିଆଯାଇଛି। ଦାନ୍ତକୁ ମଧ୍ୟ ଛେଚି ନଷ୍ଟ କରି ଦିଆଯାଇଛି। ହତ୍ୟାକାଣ୍ଡରେ ପରିବାର ଲୋକେ ଜଡ଼ିତ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଲା।
/sambad/media/post_attachments/wp-content/uploads/2023/09/police-4.jpg)
ପଚରା ଉଚରା କରାଯିବାରୁ ସ୍ବାମୀ ରାମକୁମାର, ତାଙ୍କ ପୁତ୍ର ସୂରଜପ୍ରକାଶ, ବ୍ରଜେଶ ଓ ପୁତୁରା ଉଦୟଭାନ୍ ମାୟା ଦେବୀଙ୍କୁ ହତ୍ୟା କରିବା ଲାଗି ଯୋଜନା କରିଥିବା କଥା ସ୍ବୀକାର କରିଛନ୍ତି ବୋଲି ଏସ୍. ପି. ଅଗରୱାଲ୍ କହିଛନ୍ତି।
ରାମକୁମାରଙ୍କ ସ୍ବୀକାରୋକ୍ତି ଅନୁସାରେ, ମାୟ ଦେବୀ ଥିଲେ ତାଙ୍କର ଦ୍ବିତୀୟ ସ୍ତ୍ରୀ ଓ ତାଙ୍କ ପୁଅମାନଙ୍କ ମଧ୍ୟରୁ ଜଣକ ସହିତ ତାଙ୍କର ଅନୈତିକ ସମ୍ପର୍କ ଥିଲା ବୋଲି ସେ ସନ୍ଦେହ କରୁଥିଲେ।
ଏଥିରେ ଭୀଷଣ ଉତ୍କ୍ଷିପ୍ତ ହୋଇ ଚାରି ଅଭିଯୁକ୍ତ ମାୟା ଦେବୀଙ୍କୁ ଚାମରାହା ଗାଁକୁ ନେଇ ତଣ୍ଟିଚିପି ହତ୍ୟା କରିବା ପରେ ଫାର୍ସାରେ ତାଙ୍କ ମୁଣ୍ଡ ଓ ୪ଟି ଆଙ୍ଗୁଠି କାଟି ପକାଇଥିଲେ।
ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କୁ ଜେଲ୍ ପଠାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୪ ଘଣ୍ଟା ଭିତରେ ଏହି ମାମଲାର ସମାଧାନ କରିପାରିଥିବାରୁ ମୋ ତରଫରୁ ଉକ୍ତ ପୁଲିସ ଟିମ୍କୁ ୨୫,୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି ଏସ୍. ପି. ଅଗରୱାଲ୍ କହିଛନ୍ତି।