ନୂଆଦିଲ୍ଲୀ: ଝାଡଖଣ୍ଡର ସାହେବଗଞ୍ଜ ଜିଲ୍ଲାରେ ରହୁଥିବା ଜଣେ ଅଶିକ୍ଷିତ ଯୁବକ ଋଣ କରି ତାଙ୍କ ପତ୍ନୀଙ୍କୁ ପାଠପଢ଼ାଇଥିଲେ।  ପାଠପଢ଼ି ନର୍ସ ଚାକିରି କରିବା ପରେ ସ୍ତ୍ରୀ କେଉଁଆଡେ ଫେରାର ହୋଇଯାଇଛନ୍ତି ବୋଲି ସ୍ବାମୀ ପୁଲିସରେ ଅଭିଯୋଗ କରିଛନ୍ତି।

Advertisment

ବୋରିଓ ପୁଲିସ ଷ୍ଟେସନ ପରିସରରେ ଥିବା ବାନଝି ଗ୍ରାମ ନିବାସୀ କହ୍ନାଇ ପଣ୍ଡିତ ପୁଲିସରେ ଅଭିଯୋଗ କରି କହିଛନ୍ତି କି, ‘ସ୍ତ୍ରୀର ପାଠପଢ଼ିବା ପ୍ରତି ବହୁତ ରୁଚି ଥିଲା। ମୁଁ ତ ଅଶିକ୍ଷିତ। ତେଣୁ ସ୍ତ୍ରୀ ପାଠପଢ଼ି ଭଲ ଚାକିରି କରୁ ସେଇ ଆଶା‌ରେ ତାକୁ ପାଠପଢ଼ାଇଲି। ଏହାପରେ ସ୍ତ୍ରୀ ଓ ପିଲାଙ୍କୁ ଛାଡ଼ି ଭଲ ଦୁଇପଇସା ରୋଜଗାର ପାଇଁ ଗୁଜୁରାଟ ଚାଲି ଯାଇଥିଲି। ସେଠାରୁ ଫେରିବା ପରେ ସ୍ତ୍ରୀ ନର୍ସ ଚାକିରି ପାଇଯାଇଥିଲା। କିନ୍ତୁ ମୋ ସହିତ ତାର ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଥିଲା।

‌ସେ ମୋ ସହ ଆଉ ରହିବ ନାହିଁ କହି ତାର ବାପଘରକୁ ଚାଲି ଯାଇଥିଲା। ପରେ ମୁଁ ଜ‌ାଣିବାକୁ ପାଇଲି କି ତାକୁ ନର୍ସ ଚାକିରି ଦେବାରେ ସାହାଯ୍ୟ କରିଥିବା ଜଣେ ଯୁବକ ସହିତ ମୋ ପିଲା ଓ ଘରର କାଗଜପତ୍ର ଧରି ସେ ଫେରାର ହୋଇଯାଇଛି। ଅନ୍ୟଜଣଙ୍କ ଠାରୁ ଜାଣିବାକୁ ପାଇଲି କି ସ୍ତ୍ରୀ କଳ୍ପନା କୁମାର କହୁଛି କି ପିଲା ତା’ ପାଖରେ ରହୁଛି ମାନେ ସବୁ ସମ୍ପତ୍ତି ବି ତାର। ମୋ ସହିତ ତାର କୌଣସି ସମ୍ପର୍କ ନାହିଁ।’

ଏମିତି ଏକ ଘଟଣା ୟୁପିର ବରେଲିରେ ଘଟିଛି।  ବରେଲିର ଏସଡିଏମ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି।

ଜ୍ୟୋତିଙ୍କ ସ୍ୱାମୀ ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ସେ ଜ୍ୟୋତିଙ୍କୁ ପିସିଏସ ହେବାରେ ସମର୍ଥନ କରିଥିଲେ ଏବଂ ତାଙ୍କ ପ୍ରସ୍ତୁତି ଓ ଅଧ୍ୟୟନକୁ ମଧ୍ୟ ସମର୍ଥନ କରିଥିଲେ। କିନ୍ତୁ ଏସଡିଏମ ହେବା ପରେ ଜ୍ୟୋତି ଅନ୍ୟ ଜଣେ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଧୋକା ଦେଇଛନ୍ତି ।