ହରଦା(ମଧ୍ୟପ୍ରଦେଶ): ମୁଁ ତୁମ ଜୀବନରୁ ଚାଲି ଯାଉଛି। ତୁମେ ଭଲରେ ରୁହ। ଚାକିରି କରିଥିବା ଅନ୍ୟ ଯୁବକଙ୍କୁ ବିବାହ କର। ନିଜ ପତ୍ନୀଙ୍କୁ ଏଭଳି କହି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ସ୍ବାମୀ। ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଘଟିଛି ଏଭଳି ଘଟଣା। ହରଦାରେ ରହୁଥିବା ୩୫ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା କରିବା ପୂର୍ବରୁ ମୃତ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହ୍ବାଟସଆପରେ ଏଭଳି ମେସେଜ୍ କରିଛନ୍ତି।
ସୂଚନାନୁସାରେ, ହରଦରସ୍ଥିତ ଛିନ୍ଦୱାରା ନିବାସୀ ସତୀଶ ବିଝାଡେ ଜୁନ୍ ୨୦୨୦ରେ ଟିମରନି ସମୋତା ତିଲୱାରୀଙ୍କୁ ବିବାହ କରିଥିଲେ। ପତ୍ନୀ ସମୋତା ଜଙ୍ଗଲ ବିଭାଗରେ ଜଣେ ବନ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ହେଲେ ସତୀଶ ଇଞ୍ଜିନିୟରିଂ କରିବା ପରେ ଚାକିରି ନପାଇ ବେକାର ଥିଲେ। ବିବାହ ପରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଥିଲା। ବିବାଦ ଏତେ ବଢ଼ି ଯାଇଥିଲା ଯେ ଉଭୟ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଏପ୍ରିଲ ୧୫ରେ, ସମୋତା ତାଙ୍କ ଡ୍ୟୁଟିରେ ରାହତଗାଓଁ ଯାଇଥିବା ବେଳେ ସ୍ୱାମୀ ହରଦାସ୍ଥିତ ତାଙ୍କ ଘରେ ଥିଲେ।
ଡ୍ୟୁଟିରୁ ଫେରି ସମୋତା ନିଜ ବାପ ଘରେ ରହିଯାଇଥିଲେ। ସେହି ଦିନ ସତୀଶ ରାତି ୧ଟାରେ ସମୋତାଙ୍କୁ ମୁଁ ତୁମ ଜୀବନରୁ ଚାଲି ଯାଉଛି। ତୁମେ ଭଲରେ ରୁହ। ଚାକିରି କରିଥିବା ଅନ୍ୟ ଯୁବକଙ୍କୁ ବିବାହ କର। ବୋଲି ହ୍ବାଟସଆପ ମେସେଜ କରିଥିଲେ। ରାତି ଅଧିକ ହୋଇଯାଇଥିବାରୁ ସମୋତା ମେସେଜଟିକୁ ସକାଳେ ଦେଖି ସତୀଶଙ୍କୁ ଫୋନ କରିଥିଲେ। ହେଲେ ସତୀଶ ଫୋନ ନଉଠାଇବା ସହ ମେସେଜର ଜବାବ ଦେଇନଥିଲେ। ଏହା ପରେ ସେ ହରଦାସ୍ଥିତ ଘରେ ପହଞ୍ଚି କବାଟ ବାଡ଼ାଇବାରୁ ସତୀଶ କବାଟ ଖୋଲିନଥିଲେ। ପରେ ସେ ପୁଲିସକୁ ଏନେଇ ସୂଚନା ଦେବା ସହ ପୁଲିସ ଆସି କବାଟ ଭାଙ୍ଗିଥିଲା। ଘର ଭିତରକୁ ଯିବା ପରେ ସତୀଶଙ୍କ ମୃତଦେହ ଶୋଇବା ଘରେ ଝୁଲୁଥିବାର ଦେଖି ସମୋତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା।
ପୁଲିସର କହିବା ମୁତାବକ, ହ୍ବାଟସଆପ ମେସେଜ ସହ ସତୀଶ ଦୁଇ ପୃଷ୍ଠାର ସୁଇସାଇଡ ନୋଟ ଲେଖିଛନ୍ତି। ଘଟଣାକୁ ନେଇ ଯାଞ୍ଚ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/t-39.jpg)