ମହିଳା ଦିବସରେ ସ୍ତ୍ରୀ ପ୍ରତି ଅମାନୁଷିକ ବ୍ୟବହାର: ଓ୍ଵାଇଫାଇ ସଂଯୋଗ କାଟି ଦେବାରୁ ପଶୁ ଭଳି ମାଡ଼ ମାରିଲା ସ୍ୱାମୀ

ହାଇଦ୍ରାବାଦ୍‌ : ଆଜି ହେଉଛି ଅର୍ନ୍ତଜାତୀୟ ମହିଳା ଦିବସ । ଆଜି ଦିନରେ ସମସ୍ତେ ନିଜ ସ୍ତ୍ରୀ, ମା’ ଏବଂ ଭଉଣୀକୁ ସମ୍ମାନ ଜଣାଇ ଥାଆନ୍ତି । କିନ୍ତୁ ଏହାର ଠିକ୍‌ ଓଲଟା ଘଟିଛି ହାଇଦ୍ରାବାଦ୍‌ରେ । ସାମାନ୍ୟ ଓ୍ଵାଇ ଫାଇ ସଂଯୋଗ କାଟି ଦେବାରୁ ନିଜ ସ୍ତ୍ରୀକୁ ପଶୁ ଭଳି ମାଡ଼ ମାରିଛି ସ୍ୱାମୀ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି । ସୂଚନା ମୁତାବକ, ବୁଧବାର ଅଧିକ ରାତି ପର୍ଯ୍ୟନ୍ତ ରେଶ୍‌ମାଙ୍କ ସ୍ୱାମୀ ଓମେର୍‌ ପାଶା ନିଜ ସ୍ମାର୍ଟଫୋନରେ ସୋସିଆଲ ସାଇଟ୍‌ରେ ବ୍ୟସ୍ତଥିବା ବେଳେ ରେଶ୍‌ମା ତାଙ୍କୁ ଶୋଇବାକୁ କହିଥିଲେ । ମଧ୍ୟରାତ୍ରିରେ ରେଶ୍‌ମା ଉଠିବା ପରେ ଓମେର୍‌ ନ ଶୋଇ ଫୋନରେ ଲାଗିଥିଲେ ।
ଏତେ ରାତି ପର୍ଯ୍ୟନ୍ତ କାହିଁକି ଶୋଇ ନାହଁ କହି ରେଶ୍‌ମା ଓ୍ଵାଇ ଫାଇ ସଂଯୋଗ କାଟି ଦେଇଥିଲେ । ଏଥିରେ ରାଗି ଯାଇ ଓମେର୍‌ ରେଶ୍‌ମାଙ୍କ ଛାତି,ମୁଣ୍ଡ ଏବଂ ବେକକୁ ବିଧା ଗୋଇଠା ମାରି ତାଙ୍କୁ ବେହୋସ କରି ଦେଇଥିଲେ । ଚିତ୍କାର ଶୁଣି ତାଙ୍କ ଘର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ରେଶ୍‌ମାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ଏ ନେଇ ରେଶ୍‌ମା ଏବଂ ତାଙ୍କ ବାପଘର ଲୋକେ ପୁଲିସରେ ଏତଲା ଦେବା ସହ ନ୍ୟାୟ ଭିକ୍ଷା କରିଥିବା ଜଣାପଡ଼ିଛି ।

deccanchronicle.com

ଯଦି କୌଣସି ସମାଧାନର ବାଟ ନ ବାହାରେ ତେବେ ଆମେ ଏହି ମାମଲାକୁ ମହିଳା ଥାନାକୁ ହସ୍ତାନ୍ତର କରିବୁ ବୋଲି ପଞ୍ଜାଗୁଟ୍ଟା ପୁଲିସ କର୍ମଚାରୀ ଏସ୍‌.ରବିନ୍ଦର କହିଛନ୍ତି । ରେଶ୍‌ମା ଏବଂ ଓମେର୍‌ଙ୍କ ବିବାହକୁ ୬ ବର୍ଷ ପୂର୍ତ୍ତି ହୋଇ ସାରିଥିବା ବେଳେ ତାଙ୍କର ୩ଟି ଝିଅ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର