ମାସିକ ୩୦ ହଜାର ଟଙ୍କା ଭଡ଼ା ଦେଇ ବିଳାସମୟ ଫ୍ଲାଟରେ ରହୁଥିବା ପକେଟମାର୍‌ ଗିରଫ

ହାଇଦ୍ରାବାଦ: ମାସକୁ ୩୦ ହଜାର ଟଙ୍କା ଭଡ଼ା ଦେଇ ଗୋଟାଏ ବିଳାସମୟ ଫ୍ଲାଟ୍‌ରେ ରହୁଥିବା ଜଣେ ପକେଟମାର୍‌ ସୋମବାର ଦିନ ଧରାପଡ଼ିଥିବା କଥା ମଙ୍ଗଳବାର ଦିନ ସିକନ୍ଦରାବାଦ ସରକାରୀ ରେଳବାଇ ପୁଲିସ ସାମ୍ବାଦିକମାନଙ୍କୁ କହିଛି।

କେବଳ ସେତିକି ନୁହେଁ, ନିଜର ଦୁଇ ପିଲାଙ୍କୁ ସହରର ଏକ ବ୍ୟୟବହୁଳ ଆନ୍ତର୍ଜାତିକ ସ୍କୁଲ୍‌କୁ ପଠାଉଛି ସେ ୩୩ ବର୍ଷିୟ ପକେଟମାର୍‌ ଥାନେଦାର ସିଂହ କୌଶଭ। ପୁଲିସ କହିବା ଅନୁସାରେ, ୨୦୦୪ରୁ ପକେଟମାର୍‌ କରୁଥିବା କୌଶଭ ଦୂରଗାମୀ ଟ୍ରେନ୍‌ରେ ଯାଉଥିବା ଯାତ୍ରୀମାନଙ୍କୁ ଟାର୍ଗେଟ୍‌ କରେ। ଏ ପର୍ଯ୍ୟନ୍ତ ସେ ପକେଟମାର୍‌ କରିଥିବା ନଗଦ ଟଙ୍କା ଓ ଅଳଙ୍କାର ମିଶାଇ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ବିଶ୍ୱାସ କରାଯାଉଛି। ପ୍ରାୟ ୪୦୦ ଅପରାଧିକ କାର୍ଯ୍ୟକଳାପରେ ତା’ର ସମ୍ପୃକ୍ତି ଥିବା କଥା ଜିଆର୍‌ପି ସୁପରିଣ୍ଟେଣ୍ଡେଣ୍ଟ୍‌ ବି ଅନୁରାଧା କହିଛନ୍ତି।

ପକେଟମାର୍‌ କରିବା ବ୍ୟତିରେକେ, ସେ ଜୁଆ ଖେଳେ ଏବଂ ସଟ୍ଟା ବଜାରରେ ଅର୍ଥ ବିନିଯୋଗ କରେ। ୨୦୧୬ରୁ ସେ ଚନ୍ଦନନଗର ଅଞ୍ଚଳର ଏକ ବିଳାସମୟ ଆପାର୍ଟମେଣ୍ଟ୍‌ରେ ବାସ କରୁଛି। ସହରର ଗୋଟାଏ ଆନ୍ତର୍ଜାତିକ ବିଦ୍ୟାଳୟରେ ପଢୁଥିବା ତାଙ୍କ ଦୁଇ ପିଲାଙ୍କର ବାର୍ଷିକ ଦେୟ ହେଉଛି ୪ ଲକ୍ଷ ଟଙ୍କା।

Image Source: The Times of India

ଗିରଫ କରିବା ପରେ ଜିଆର୍‌ପି ତା’ଠାରୁ ନଗଦ ୧୩ ଲକ୍ଷ ଟଙ୍କା ଏବଂ ୨୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କରିଛି। ପକେଟ୍‌ କାଟିବା ନିମନ୍ତେ ସେ କ୍ଷୌର ପାଇଁ ବ୍ୟବହାର ହେଉଥିବା ସାଧାରଣ ବ୍ଲେଡ୍‌ଟିଏ ବ୍ୟବହାର କରେ।

ଚୋରି କରିବା ଲାଗି ସେ ସଂରକ୍ଷିତ କିଂବା ଅସଂରକ୍ଷିତ ବଗିର ଟିକେଟ କାଟି ଯାତ୍ରା କରେ। ପ୍ରତ୍ୟେକ ଥର ସେ ନିଶ୍ଚୟ ଅନ୍ୟୂନ ୨୦ ହଜାର ଟଙ୍କାର ମୂଲ୍ୟବାନ ଜିନିଷପତ୍ର ଚୋରାଇ ଆଣେ। ପ୍ରତିମାସରେ ସେ ହାରାହାରି ଏ ଭଳି ୮ଥର ରେଳଯାତ୍ରା କରେ। ୨୦୧୫ ଠାରୁ ସେ ଆଉ ଧରାପଡ଼ି ନ ଥିଲା। ତା’ର ମୂଳ ଘର ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାରେ।

ସମ୍ବନ୍ଧିତ ଖବର