ହାଇଦ୍ରାବାଦ: ଦିନ ଦିପହରେ ଘରେ ପଶି ୪୦ଗ୍ରାମ ସୁନା ଲୁଟିନେଲେ ଚୋର। ଘରେ ଏକା ଥିବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତମାନେ ୪୦ଗ୍ରାମ୍ ସୁନା ଓ ଘରେ ଥିବା ୧ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ରେଣୁ ଅଗ୍ରାୱାଲ(୫୦) ବୋଲି ଜଣାପଡ଼ିଛି। ସ୍ବାମୀ ଓ ପୁଅ ଦିନ ୧୦ଟାରେ ଅଫିସ ଯିବା ପରେ ଘରେ ଏକାଥିଲେ ରେଣୁ। ପୁଲିସ ଏବେ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଖୋଜିବ‌ା ଆରମ୍ଭ କରିଛି।

Advertisment

ମିଳିଥିବା ସୂଚନା ମୁତାବକ, ୫୦ ବର୍ଷୀୟା ରେଣୁ ଅଗ୍ରୱାଲ ଆଇଟି ହବ୍ ସାଇବରାବାଦରେ ଥିବା ସ୍ୱାନ୍ ଲେକ୍ ଆପାର୍ଟମେଣ୍ଟର ୧୩ତମ ମହଲାରେ ତାଙ୍କ ସ୍ୱାମୀ ଏବଂ ପୁଅ ସହିତ ରହୁଥିଲେ। ବୁଧବାର ଦିନ, ସକାଳ ପ୍ରାୟ ୧୦ଟାରେ, ସ୍ବାମୀ ଓ ତାଙ୍କ ୨୬ ବର୍ଷୀୟ ପୁଅ ଅଫିସ ବାହାରି ଯାଇଥିଲେ। ସନ୍ଧ୍ୟା ୫ଟାରେ, ରେଣୁଙ୍କୁ ତାଙ୍କ ସ୍ବାମୀ ଫୋନ କରିଥିଲେ ବି ସେ ଉଠାଇ ନଥିଲେ। ଲଗାତାର ଫୋନ୍ କରିବା ପରେ ରେଣୁ ନଉଠାଇବାରୁ  କାରଣ ଜାଣିବାକୁ ଘରେ ପହଞ୍ଚିଥିଲେ ତାଙ୍କ ସ୍ବାମୀ। ହେଲେ ଭିତରପଟୁ କବାଟ ବନ୍ଦ ଥିଲା। ତେଣୁ ବାଲକୋନି ବାଟ ଦେଇ ଘରେ ପ୍ରବେଶ କରିଥିଲେ ରେଣୁଙ୍କ ସ୍ବାମୀ। ଭିତରକୁ ଯିବା ପରେ ରେଣୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବ‌ା ଦେଖିଥିଲେ ତାଙ୍କ ସ୍ବାମୀ। ଏହା ପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା।

ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଯେ, ରେଣୁଙ୍କ ଘରେ ୧୦ଦିନ ପୂର୍ବରୁ କାମ କରିବା ଆରମ୍ଭ କରିଥିବା ଗୃହ ସହାୟିକା ହର୍ଷା ଓ ତାଙ୍କ ପଡ଼ୋଶୀଙ୍କ ଘରେ କାମ କରୁଥିବା ଗୃହ ସହାୟକ ରୌଶନ ମିଶି ଏହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। କାରଣ ଦୁହେଁ ୧୩ମହଲାକୁ ଯାଇଥିବା ବେଳେ ସନ୍ଧ୍ୟା ୫ଟା ୨ମିନିଟରେ ତଳକୁ ଆସିଥିବା ସିସିଟିଭିରେ କଏଦ ହୋଇଛି। ଅଭିଯୁକ୍ତ ରେଣୁଙ୍କ ହାତ ଗୋଡ଼ ବାନ୍ଧିବା ସହ ପ୍ରେସର କୁକରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏହା ପରେ ଛୁରୀ ଓ କତୁରୀ ସାହାଯ୍ୟରେ ତାଙ୍କ ଗଳା କାଟି ତାଙ୍କୁ ହତ୍ୟା କରିଥିଲେ। ପିନ୍ଧିଥିବା ପୋଷାକରେ ରକ୍ତ ଲାଗିଥିବାରୁ ସେମାନେ ରେଣୁଙ୍କ ଘରେ ଗାଧୋଇବା ସହ ରକ୍ତାକ୍ତ ପୋଷାକ ସେଠାରେ ଛାଡ଼ି ଚାଲିଆସିଥିଲେ। ଯୋଜନାବଦ୍ଧ ଭାବେ ଦୁହେଁ ଏହି ହତ୍ୟା କରିଥିବା କହିଛି ପୁଲିସ।