ହାଇଦ୍ରାବାଦ୍ : ଅଷ୍ଟମ ବିବାହ ବାର୍ଷିକୀ ପାଳନ କରିବାର କିଛି ସମୟ ପରେ ଆତ୍ମହତ୍ୟା କଲେ ମହିଳା । ନିଜର ଚତୁର୍ଥ ମହଲା ଘରର ବାଲକୋନିରୁ ଡ଼େଇଁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ କ’ଣ ପାଇଁ ସେ ଏଭଳି ପଦକ୍ଷପ ନେଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରବିବାର ଏହି ଘଟଣା ଘଟିଥିବା ବେଳେ ଏହା ପଛର କାରଣ ଜାଣିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗୁଣ୍ଟୁର୍ ଜିଲ୍ଲାରେ ରହୁଥିବା ଏମ୍.ନାଗଲକ୍ଷ୍ମୀ ୮ବର୍ଷ ହେବ ରମେଶଙ୍କୁ ବିବାହ କରିବା ସହ ମାଲ୍କାନଗିରିରେ ରହି ଆସୁଥିଲେ । ତାଙ୍କର ଜଣେ ୫ ବର୍ଷିୟ ଝିଅ ମୋକ୍ଷଅଞ୍ଜଲୀ ମଧ୍ୟ ଥିବା ଜଣାପଡ଼ିଛି । ରବିବାର ଦିନ ସେମାନଙ୍କ ବିବାହର ୭ବର୍ଷ ପୂର୍ତ୍ତି ଅବସରରେ ସେମାନେ ସେହି ଦିନଟିକୁ ଧୁମ୍ଧାମ୍ରେ ପାଳନ କରିଥିଲେ । ସ୍ଥାନୀୟ ମନ୍ଦିରକୁ ଯାଇ ପୂଜା ମଧ୍ୟ କରିଥିଲେ । ଘରକୁ ଫେରି ରାତ୍ରଭୋଜନ ସରି ରମେଶ ଏବଂ ତାଙ୍କ ଝିଅ ଶୋଇ ଯାଇଥିଲେ । କିନ୍ତୁ ନାଗଲକ୍ଷ୍ମୀ ନ ଶୋଇ ତାଙ୍କ ଫୋନରେ କିଛି ଭିଡ଼ିଓ ଦେଖୁଥିଲେ । ସକାଳୁ ରମେଶ ଉଠିବା ପରେ ନାଗଲକ୍ଷ୍ମୀଙ୍କୁ ଘରେ ନ ପାଇ ବାହାରକୁ ଖୋଜିବା ପାଇଁ ବାହାରିଲା ବେଳକୁ ବାହାର ପଟୁ କବାଟ ବନ୍ଦ ଥିବା ଦେଖିଥିଲେ। ଏହା ପରେ ପଡ଼ୋଶୀମାନଙ୍କୁ ଡ଼ାକି କବାଟ ଖୋଲି ଚାରିଆଡ଼େ ଖୋଜିବା ପରେ ତଳେ ନାଗଲକ୍ଷ୍ମୀଙ୍କର ମୃତ ଦେହ ପଡ଼ିଥିବାର ଦେଖିଲେ ।

ଏହା ପରେ ସେ ତୁରନ୍ତ ନାଗଲକ୍ଷ୍ମୀଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହା ପଛର କାରଣ ଜାଣିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ମୃତ୍ୟୁ ପଛର ସଠିକ୍ କାରଣ କ’ଣ ପୁଲିସ ଖୋଜି ପାଇ ନ ଥିବା ବେଳେ ତଦନ୍ତ ଜାରି ରଖିଛି ପୁଲିସ ।