ନୂଆଦିଲ୍ଲୀ: ନିକଟରେ ଜଣେ ଏୟାର ହୋଷ୍ଟେସ ଜୀବନ ହାରିଦେବା ପୂର୍ବରୁ ଏକ ଭାବବିହ୍ବଳ ପୋଷ୍ଟ କରିଥିଲେ। ମୃତ୍ୟୁ ହୋଇଥିବା ଏୟାର ହୋଷ୍ଟେସ ଜଣକ କିନ୍ନର ଥିବା ବେଳେ ତାଙ୍କ ନାମ କାଏଲେ ସ୍କାର୍ଟ ବୋଲି ଜଣାପଡ଼ିଛି।
କାଏଲେଙ୍କୁ ତାଙ୍କ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆମେରିକାର କୋଲୋରାଡୋରେ ବସବାସ କରୁଥିଲେ। ଡେନବର ପୁଲିସ କାଏଲେଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ଏହି ମୃତ୍ୟୁ ଘଟଣାର ଯାଞ୍ଚ କରୁଛି।
ଜୀବନ ହାରିବା ପୂର୍ବରୁ କାଏଲେ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ଲେଖିଥିଲେ, ‘ଆଇ ଆମ ସୋ ସରି ବ୍ରାଉନା, ମୁଁ ଆସୁଛି। ମୋ ସହିତ ବିତାଇଥିବା ସ୍ମୃତିକୁ ସାଇତି ରଖିଥିବ। ଯଦି କେବେ କିଛି ଭୁଲ ହୋଇଯାଇଥାଏ କ୍ଷମା କରିଦେବ। ମୁଁ ନିଜକୁ ଭଲ ଭାବେ ଉପସ୍ଥାପନା କରି ପାରିଲି ନାହିଁ, ଏହା ମୋର ହିଁ ଦୋଷ।’
ବ୍ରାଉନା କାଏଲେଙ୍କ ଜଣେ ଭଲ ବନ୍ଧୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ୨୦୧୬ରେ ଅତ୍ୟଧିକ ଅବସାଦଗସ୍ତ ହୋଇ ବ୍ରାଉନା ମାତ୍ର ୧୫ବର୍ଷ ବୟସରେ ଜୀବନ ହାରି ଦେଇଥିଲେ।
କାଏଲେ ଆମେରିକାର ଜଣେ ଚର୍ଚ୍ଚିତ ଏୟାର ହୋଷ୍ଟେସ ଥିଲେ। ୟୁନାଇଟେଡ ଏୟାରଲାଇନ୍ସର ବିଜ୍ଞାପନରେ ଆସି କାଏଲେ ଲୋକପ୍ରିୟ ହୋଇଥିଲେ।
କାଏଲେଙ୍କ ମୃତ୍ୟୁ ପରେ ମା’ କହିଛନ୍ତି, ‘ ମୁଁ ମୋ ଛୁଆକୁ ସବୁଦିନ ପାଇଁ ହରାଇ ଦେଇଛି। ଏହା ମୋତେ ବିଶ୍ବାସ ହେଉନାହିଁ। କାଏଲେର ଖୁବ ଧୌର୍ଯ୍ୟ। ସେ ପ୍ରତ୍ୟେକଟି କାମକୁ ବୁଝି ବିଚାରି କରିଥାଏ। ମୋର ଛୁଆ ଏମିତି ଏକ ପଦକ୍ଷେପ ନେବ ବୋଲି ମୁଁ ସ୍ବପ୍ନରେ ସୁଦ୍ଧା ଭାବି ନଥିଲି। ମଲା ଯାଏଁ ତାକୁ ଝୁରିବି। ;ମୋର ବଞ୍ଚିବାର ଆଉ କିଛି ଆଶା ନାହିଁ।’