୮ମାସ ଆଶ୍ରମରେ ବନ୍ଧକ ରଖି ପ୍ରତି ରାତିରେ ଦୁଷ୍କର୍ମ କରୁଥିଲେ ବାବା

ଲକ୍ଷ୍ମୌ: ଆଶାରାମ ବାପୁ, ବାବା ରାମ ରହିମ ଓ ଫଳାହାରି ବାବାଙ୍କ ପରେ ଉତ୍ତରପ୍ରଦେଶ ସୀତାପୁର ପୁଲିସ ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ଆଉ ଜଣେ ବାବାଙ୍କୁ ଗିରଫ କରିଛି। ଗିରଫ ବାବାଙ୍କ ନାମ ସୀୟାରାମ ଦାସ।

ଲକ୍ଷ୍ମୌର ସୀତାପୁରରୁ ୨୫କିଲୋମିଟର ଦୂର ମିଶ୍ରିକ୍ଷେତ୍ରରେ ସୀୟାରାମ ବାବାଙ୍କର ରହିଛି ଏକ ବିଶାଳ ଆଶ୍ରମ। ଯେଉଁଠାରେ ସେ ଏକ ସ୍କୁଲ ମଧ୍ୟ ଖୋଲିଛନ୍ତି। ଏହି ସ୍କୁଲର ପ୍ରିନ୍ସପାଲ ହେଉଛନ୍ତି ତାଙ୍କ ଶିଷ୍ୟ ମିଣ୍ଟୁ ସିଂହ । ଯୁବତୀଙ୍କୁ ଚାକିରି ଯୋଗାଇବା ଆଳରେ ବାବାଙ୍କ କାମବାସନା ଚରିତାର୍ଥ ମିଣ୍ଟୁ କରାଉଥିଲେ ବୋଲି ଅଭିଯୋଗ ହୋଇଛି।

ପୀଡ଼ିିତା କହନ୍ତି, ‘ମୁଁ ଚାକିରି ପାଇଁ ବହୁ ଚିନ୍ତାରେ ଥିଲି। ଥରେ ମୋର ଜଣେ ସମ୍ପର୍କୀୟ ନୋଖ ଓ ତାଙ୍କର ଜଣେ ସାଙ୍ଗ ଆଶିଷ ଶୁକ୍ଳା ଚାକିରି କରାଇ ଦେବେ ବୋଲି କହି, ମିଣ୍ଟୁ ସିଂହଙ୍କ ପାଖକୁ ମୋତେ ନେଇ ଆସିଥିଲେ। ମିଣ୍ଟୁଙ୍କ ପାଖରେ ମୋତେ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହାପରେ ସେ ମୋତେ ବାରାମ୍ବକି, ଫୈଜାବାଦ, ଲକ୍ଷ୍ମୌ ଆଦି ଆଶ୍ରମରେ ବୁଲାଇବା ପରେ ସୀୟାରାମଙ୍କ ଆଶ୍ରମକୁ ନେଇ ଆସିଥିଲେ। ଏଠାରେ ବାବା ସୀୟାରାମ ୮ମାସ ମୋତେ ବନ୍ଧଖ ରଖି ପ୍ରତି ରାତିରେ ଦୁଷ୍କର୍ମ କରୁଥିଲେ। ମୋ ବ୍ୟତୀତ ସ୍କୁଲର ଅନ୍ୟ ପିଲା ମଧ୍ୟ ବାବାଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ଏତିକି ନୁହେଁ, ସେ ଏହାର ଏମଏମଏସ୍‌ ମଧ୍ୟ ପ୍ରସ୍ତୁତ କରିଥିଲେ। କାରଣ କେହି ଯେପରି ଭୟରେ ଏ ଘଟଣା ସମ୍ପର୍କରେ କାହାରିକୁ କିଛି କହି ନ ପାରନ୍ତି। ଏକଦା ବାବା ଶୋଇପଡ଼ିବା ପରେ ମୁଁ ଲୁଚିଛପି ବାବାଙ୍କ ଫୋନ୍‌ରେ ପୁଲିସକୁ ଖବର ଦେଇଥିଲି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋତେ ଉଦ୍ଧାର କରିଥିଲା।’

ପୀଡ଼ିତାଙ୍କ ବୟାନ କ୍ରମେ ପୁଲିସ ଏହି ମାମଲାରେ ସୀୟାରାମ ଦାସ ଓ ତାଙ୍କ ସ୍କୁଲର ପ୍ରବନ୍ଧକ ରିଣ୍ଟୁ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଛି। ସିୟାରାମଙ୍କୁ ପୁଲିସ ଗିରଫ କରିଥିଲା ବେଳେ ସ୍କୁଲ ପ୍ରିନ୍ସପାଲ ଫେରାର ହୋଇଯାଇଛନ୍ତି।

 

ସମ୍ବନ୍ଧିତ ଖବର