ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଧାର୍ମିକ ପୋଷାକରେ ନଜର ଆସୁଥିବା ଖଲିସ୍ତାନୀ ନେତା ଅମୃତପାଲ୍ ସିଂହର ନିକଟରେ ନୂଆ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ତାକୁ ଜ୍ୟାକେଟ୍, ଟ୍ରାଉଜର ଏବଂ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ସିସିଟିଭି ଫୁଟେଜ୍ ଅମୃତସରର ଏବଂ ଏହାକୁ ମାର୍ଚ ୨୦ ତାରିଖରେ ରେକର୍ଡ କରାଯାଇଛି। କୁହାଯାଉଛି ଯେ ଅମୃତପାଲ ସେଠାରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା। ପଞ୍ଜାବ ପୁଲିସ ହାତରୁ ଖସି ପଳାଇ ଆସିଥିବା ଅମୃତପାଲ ସିଂ ଏକ ସପ୍ତାହ ଧରି ବାରମ୍ବାର ନିଜର ରୂପ ବଦଳାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ଭିଡିଓରେ ଦର୍ଶାଯାଇଛି କି ସେ ଅମୃତସରରୁ ହରିଆଣାର କୁରୁକ୍ଷେତ୍ରକୁ ଯାଇ ସେଠାରୁ ପୁଣି ଜାତୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାଉଥିଲା ସେ।
ଗତକାଲି ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମୃତପାଲ୍ ସିଂହ କୁରୁକ୍ଷେତ୍ରର ଶାହାବାଦ୍ ଅଞ୍ଚଳରେ ଛତା ଧରି ଯାଉଥିବାର ଦୃଶ୍ୟ ଗୋଟାଏ ନୂଆ ‘ସିସିଟିଭି ଫୁଟେଜ୍’ରେ ଦେଖିବାକୁ ମିଳିଥିଲା। ‘ଫୁଟେଜ୍’ ବା ‘ଭିଡିଓ କ୍ଲିପ୍’ରେ ଦେଖାଯାଉଛି ପଳାତକ ଅମୃତପାଲ୍ ଈଷତ୍ ନୀଳ ରଙ୍ଗର ସାର୍ଟ ଓ କଳାପ୍ୟାଣ୍ଟ୍ ପିନ୍ଧି ଗୋଟାଏ ଆବାସିକ ଅଞ୍ଚଳରେ ରାସ୍ତା ପାରି ହେଉଛନ୍ତି। ହାତରେ ଧରିଛନ୍ତି ଛୋଟ ବ୍ୟାଗ୍ ଓ କଳାଛତା। ଗୁରୁବାର ଦିନ ସଂଗ୍ରହ କରାଯାଇଥିବା ଏହି ‘ଫୁଟେଜ୍’ଟି ସୋମବାର ଦିନ ଉତ୍ତୋଳିତ ହୋଇଥିଲା।
ଏହା ପୂର୍ବରୁ ଅମୃତପାଲ୍ ଗୋଟାଏ ମୋଟର୍ସାଇକେଲ୍ ଏବଂ ତା’ପରେ ଗୋଟାଏ ମୋଟର୍ଲଗା ୩ଚକିଆ ଟ୍ରଲିରେ ବସି ଖସି ପଳାଉଥିବା ଦୃଶ୍ୟସମ୍ବଳିତ ‘ଫୁଟେଜ୍’ ମିଳିଥିଲା।