ଆଇଏଫଏସ୍ ଅଭୟକାନ୍ତଙ୍କ ଚର୍ଚ୍ଚିତ ବୟାନ : ମୋ ପଇସାରେ ଅୟସ କରୁନଥିଲା ପୁଅ, ତାର ମାସିକ ଦରମା କୋଟିଏ

ଭୁବ‌ନେଶ୍ବର: ଆୟ ବର୍ହିଭୂତ ମାମଲାରେ ଗତ ତିନିଦିନ ଧରି ଭିଜିଲାନ୍ସ ଜେରାର ସମ୍ମୁଖୀନ ହେଉଥିବା  ଆଇଏଫଏସ ଅଭୟକାନ୍ତ ପାଠକ ପ୍ରଥମ ଥର ଲାଗି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଯେ କିଛି ଠକେଇ ହୋଇନି, ସବୁ ଠିକ୍ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଅ ଆକାଶ ତାଙ୍କ ଟଙ୍କାରେ ଅୟସ କରୁ ନଥିଲା, କାରଣ ପୁଅର ମାସିକ ଦରମା ଏକ କୋଟି ଟଙ୍କା । ଖାଲି ସେତିକି ନୁହେଁ, ବିଭାଗରେ ଥାଇ ସେ କୌଣସି ଅର୍ଥ ହଡ଼ପ କରିନାହାନ୍ତି ବୋଲି ବି ଜୋର୍ ଦେଇ କହିଛନ୍ତି ଅଭୟକାନ୍ତ । ଅନ୍ୟପକ୍ଷରେ ତାଙ୍କ ପୁଅ ଆକାଶ ପାଠକ ଅଭିଯୋଗ କରିଛନ୍ତି କି ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ଏପରି ହଇରାଣ କରାଯାଉଛି। ସେମାନେ କୌଣସି ଦୁର୍ନୀତିରେ ସଂପୃକ୍ତ ନୁହନ୍ତି ବୋଲି ସେ କହିଛନ୍ତି।

ସେପଟେ, ଅଭୟ ପାଠକଙ୍କ ଗିରଫଦାରୀ ଆଶଙ୍କା ବୃଦ୍ଧି ପାଇଛି । ଆଜି ତାଙ୍କୁ କୋଭିଡ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଛି ଭିଜିଲାନ୍ସ । ତାଙ୍କ ପୁଅ, ପୁତୁରା ଓ ଡ୍ରାଇଭରଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏହାପରେ ୪ ଜଣଙ୍କୁ କୋର୍ଟରେ ହାଜର କରିବ ତଦନ୍ତକାରୀ ସଂସ୍ଥା । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପ- ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଏବଂ ଡ଼୍ରାଇଭରଙ୍କୁ ଜେରା କରାଯାଇଛି । ଏପରିକି ୪ଜଣଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ । ଜେରାରେ ଭିଜିଲାନ୍ସର ବଛାବଛା ଅଧିକାରୀ ନିୟୋଜିତ ହୋଇଥିଲେ । ପାଠକଙ୍କ ପ୍ରାୟ ୯କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠାବ ହୋଇଛି ।

ସୂଚନାଯୋଗ୍ୟ, କଳା ଟଙ୍କାରେ ବୁଡ଼ି ରହି ଅମାପ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି ଆଇଏଫ୍ଏସ୍‌ ଅଫିସର ତଥା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ। ନିଜ କେଳେଙ୍କାରୀରେ ଯୋଡ଼ି ଦେଇଛନ୍ତି ପୁଅକୁ। ପରିଣାମ ହେଲା, ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିବା ଅଭୟକାନ୍ତଙ୍କ ପୁଅ ଆକାଶ କୋଟି କୋଟି ଟଙ୍କାର ମାଲିକ ବନି ଯାଇଛି। ଉଭୟଙ୍କ ଠାରୁ ଆଖି ଖୋସି ଦେଲା ଭଳି ସମ୍ପତ୍ତିର ସୁରାକ୍‌ ମିଳିବା ପରେ ତାଜୁବ୍ ହୋଇ ଯାଇଛନ୍ତି ଭିଜିଲାନ୍ସ ଅଧିକାରୀ। କେବଳ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪ କୋଟି ଟଙ୍କା ଜମା ଥିବା ଜଣାପଡ଼ିଛି। ଏହି ଟଙ୍କା ଭିତରୁ ୮ କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ବରର ସହିଦନଗର ଓ ନୂଆପଲ୍ଲୀରେ ବିଭିନ୍ନ ଏଟିଏମ୍ କାଉଣ୍ଟର ଜରିଆରେ ଜମା ହୋଇଛି।

ଅନ୍ୟପକ୍ଷରେ ଏବେ ସୁଦ୍ଧା ଅଭୟକାନ୍ତଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ମିଳି ସାରିଥିବା ବେଳେ ଏହି ପରିମାଣ ଆହୁରି ବଢିବ ବୋଲି ଅନୁମାନ ଲଗାଇଛି ଭିଜିଲାନ୍ସ। ମିଳିଥିବା ୩ ଦାମୀ ଓ ବିଳାସପୂର୍ଣ୍ଣ ଗାଡ଼ି ଟାଟା ହ୍ୟାରିୟର, ମର୍ସିଡିଜ୍ ଏବଂ ବିଏମଡବ୍ଲୁ କାର ମାଲିକାନା ଆକାଶଙ୍କ ନାମରେ ରହିଛି। ପୁନେରେ ରହୁଥିବା ଆପାର୍ଟମେଣ୍ଟରେ ତିନୋଟି ଦାମୀ ମର୍ସିଡିଜ୍ କାର ମଧ୍ୟ ମିଳିଛି। ଯେଉଁଥିରେ ଦୁଇଟି ଭଡ଼ା କାର ବୋଲି ଜଣାପଡ଼ିଛି। ଯେଉଁ ଟ୍ରାଭେଲ୍ସରୁ କାର ଆସିଥିଲା ସେଠାରେ ଏକ ଟିମ୍ ଖୋଳତାଡ଼ କରିବା ପରେ ୨୫ ଲକ୍ଷ ଭଡ଼ା ଦିଆ ଯାଇଥିବା ଜଣାପଡ଼ିଛି। ଆକାଶ ନାଁରେ ଥିବା ୩ଟି ଦାମୀ ୟମାହା ଏଫଜେଡ୍ଏସ୍ ବାଇକ୍ ମଧ୍ୟ ଜବତ କରିଛି।

ଆକାଶ ବେଶ୍ ରଙ୍ଗିନ୍ ମିଜାଜର ଥିଲା ଓ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଉଥିଲା। ପଞ୍ଚ ତାରକା ହୋଟେଲରେ ରହିବା ଓ ବିଦେଶରେ ବୁଲିବା ଥିଲା ସେମାନଙ୍କ ପରିବାରର ସଉକ। ବିଦେଶ ବୁଲାରେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭିଜିଲାନ୍ସ ହାତରେ ଲାଗିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଅଭୟକାନ୍ତ ମାଲେସିଆ, ହଂକଂ, ବ୍ରିଟେନ, ୟୁନାଇଟେଡ୍ ଆରବ୍ ଏମିରେଟସ୍ ଓ ମାଳଦୀପ ବୁଲିଛନ୍ତି। ସେହିଭଳି ଚାର୍ଟର ବିମାନରେ ଭୁବନେଶ୍ବରରୁ ପୁନେ, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ବୁଲିଛନ୍ତି, ଯେଉଁଥିରେ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ ମିଳିଲାଣି।

ସେହିପରି ମୁମ୍ବାଇ ତାଜ ପ୍ୟାଲେସରେ ଆକାଶ ଅଏସ୍ କରି ୯୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ବିଲ୍ ଭିଜିଲାନ୍ସ ହାତରେ ଲାଗିଛି। ଏହି ବିଲ୍ ପରିମାଣ ଆହୁରି ବଢିବ ବୋଲି କୁହାଯାଉଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଆକାଶର ବିବାହ ପାଇଁ ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ ବୁକିଂ ହୋଇ ସାରିଥିଲା। ଯାହାର ଖର୍ଚ୍ଚ ପାଖାପାଖି ୫ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଥିବା ବେଳେ ଅଗ୍ରୀମ ୨୦ ଲକ୍ଷ ଟଙ୍କା ଦିଆ ଯାଇଥିବା ଏକ ବିଲ୍ ମିଳିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁନେରେ ଵାର୍ଟର ଆପାର୍ଟମେଣ୍ଟ ଓ ଗଡ୍ ବ୍ଲେସିଂ ଆପାର୍ଟମେଣ୍ଟରେ ୨ଟି ବିଳାସପୂର୍ଣ୍ଣ ଫ୍ଲାଟ୍ ଠାବ ହୋଇଛି। ଭଡ଼ା ବାବଦରେ ଏବେ ସୁଦ୍ଧା କୋଟିଏ ଟଙ୍କା ଦିଆଯାଇଛି। ଠକେଇ ରାସ୍ତାରେ ପାଦ ଦେଇଥିବା ଆକାଶ ପୁନେରେ ଏକ ଅଫିସ ମଧ୍ୟ ଖୋଲିଥିଲା। ଯାହାର ଭଡ଼ା ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଜଣାପଡ଼ିଛି। ଖାଲି ଅଫିସ୍ ଖୋଲି ନ ଥିଲା ଫିଲ୍ମ ଷ୍ଟାଇଲରେ ଉଚ୍ଚ ଦରମାରେ ମ୍ୟାନେଜର ମଧ୍ୟ ନିଯୁକ୍ତି ଦେଇଥିଲା।

ଇତିମଧ୍ୟରେ ଭିଜିଲାନ୍ସ ଅଧିକାରୀମାନେ ସାମନ୍ତ କଲୋନୀ ଅଞ୍ଚଳରେ ରହୁଥିବା ଏହି ମ୍ୟାନେଜର ଘରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ପୁନେ ମୁଲସି ଭୂଗାଓଁରେ ବିରାଟ ଫାର୍ମ ହାଉସ୍ ଠାବ ହୋଇଛି। ଅଭୟକାନ୍ତ ଓ ଆକାଶ ସେହି ଫାର୍ମ ହାଉସରେ ଅୟସ୍ କରୁଥିଲେ। ଜୁହୁ ବିଚ୍ ନିକଟରେ ଏକ ରେସ୍ତୁରାଁ ମଧ୍ୟ ଖୋଲିଥିଲା ଆକାଶ। ମୁଲୁଣ୍ଡରେ ଆଉ ଏକ ଘର ଥିବା ଜଣାପଡିଛି। ଆଉ କିଛି ଫ୍ଲାଟ୍ କିଣିବାକୁ ଆକାଶ ଯୋଜନା ରଖିଥିଲା ବୋଲି କାଗଜପତ୍ର ଦେଖି ସନ୍ଦେହ କରୁଛି ଭିଜିଲାନ୍ସ।

ଗତକାଲି ଅଭୟଙ୍କ ସରକାରୀ ବାସଭବନରୁ ନଗଦ ୫ ଲକ୍ଷ ଟଙ୍କା ମିଳିଥିବା ବେଳେ ଆଜି ଆଉ ୫ ଲକ୍ଷ ମିଳିଥିବା କୁହାଯାଉଛି। ଦାନ୍ତ ଡାକ୍ତର ଥିବା ପୁତୁରା ହର୍ଷ ପାଠକଙ୍କ ଘରୁ ନଗଦ ୫୦ ଲକ୍ଷ ଟଙ୍କା ମିଳିଥିଲା। ଘାଟିକିଆ ଭିପୁଲ ଗାର୍ଡେନରେ ରହୁଥିବା ପୁତୁରା ହର୍ଷଙ୍କ ପାଖରେ ୫୦ ଲକ୍ଷ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ଚାଲିଛି ଖୋଳତାଡ଼। ଅଭୟକାନ୍ତ ଏହି ଟଙ୍କା ପୁତୁରାଙ୍କ ଘରେ ରଖିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଆଜି ମଧ୍ୟ ଦିନତମାମ୍ ତାଙ୍କ ଫ୍ଲାଟ୍, ସରକାରୀ ବାସଭବନ ଓ ସିଆରପି ଛକରେ ଥିବା ହର୍ଷଙ୍କ କ୍ଲିନିକରେ ଚଢ଼ଉ କରାଯିବା ସହ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

ସେହିଭଳି ସରକାରୀ ବାସଭବନରୁ ଏକ ଏୟାର ଗନ୍ ଜବତ କରାଯାଇଛି। ସମ୍ପତ୍ତି ପରିମାଣ ଏତେ ବଢି ଯାଇଛି ଯେ ହିସାବ କରିବା ପାଇଁ ଏକାଧିକ ଚାଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କ ଅଧିକାରୀ, ଇଣ୍ଟେରିଅର ଡିଜାଇନର ଓ ନଥିପତ୍ର ଯାଞ୍ଚ କରୁଥିବା ସଂସ୍ଥାର ସହାୟତା ନେଇଛି ଭିଜିଲାନ୍ସ।

ସମ୍ବନ୍ଧିତ ଖବର