ବଜ୍ରକାପ୍ତା ଚୋରା ଚାଲାଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡ ପାଇଁ ଆବେଦନ

ଭୁବନେଶ୍ବର/ବାରଙ୍ଗ : ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ କ୍ରାଇମବ୍ରା‌ଞ୍ଚର ଏସଟିଏଫ ଗିରଫ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ଲାଗି ରିମା‌ଣ୍ଡରେ ନେବ। ଦୁଇ ଅଭିଯୁକ୍ତ ହେଲେ, ବାଲେଶ୍ୱର ଜିଲ୍ଲା ବସ୍ତା ମାନୁଡିହ ଅଞ୍ଚଳର ଦେବେନ୍ଦ୍ର ଦାସ ଓ କପ୍ତିପଦା ଚକ୍ରଧରପୁର ଅଞ୍ଚଳର ରଘୁନାଥ ବେହେରା। ଏ ନେଇ କ୍ରାଇମବାଞ୍ଚ ପକ୍ଷରୁ ଉଦଳା କୋର୍ଟରେ ଆବେଦନ କରାଯାଇଛି। କୋର୍ଟ ଆସନ୍ତାକାଲି ଏହା ଉପରେ ଶୁଣାଣି କରିବେ ବୋଲି ସୂଚନା ମିଳିଛି। କ୍ରାଇମବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତବାକ, ରିମାଣ୍ଡ ବେଳେ ଅଭିଯୁକ୍ତମାନଙ୍କଠାରୁ ସେମାନଙ୍କ ନେଟୱର୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯିବ। ସେହି ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଅନ୍ୟ ସ୍ଥାନରେ ଚଢ଼ଉ କରି ଅନ୍ୟ ଶିକାରୀମାନଙ୍କୁ ଗିରଫ କରିବ।

ଅନ୍ୟପକ୍ଷରେ ମୟୂରଭଞ୍ଜ ଉଦଳା ଥାନା ଅଧୀନ ଆମ୍ବଡ଼ିହରୁ ଉଦ୍ଧାର ହୋଇଥିବା ମା’ ଓ ଛୁଆ ବଜ୍ରକାପ୍ତା ଆଜି ନନ୍ଦନକାନନରେ ପହଞ୍ଚିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଏହି ବଜ୍ରକାପ୍ତା ଦୁଇଟିଙ୍କୁ ଏକ ଚୋରା ଚାଲାଣକାରୀ ରୢାକେଟ୍‌ଠାରୁ ଉଦ୍ଧାର କରିଥିଲା। ବଜ୍ରକାପ୍ତାଦ୍ୱୟକୁ କ୍ରାଇମ୍‌ବ୍ରାଞ୍ଚ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ସିଟି ଫରେଷ୍ଟର ଜିମା ଦେଇଥିଲା। ସିଟି ଫରେଷ୍ଟର ରେଞ୍ଜ ଅଫିସର୍‌ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ମା’ ଛୁଆକୁ ନନ୍ଦନକାନନକୁ ହସ୍ତାନ୍ତର କରିଛନ୍ତି। ବଜ୍ରକାପ୍ତା ଦୁଇଟିଙ୍କୁ ଭେଟନାରୀ ପରିସର କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ମା’ ବଜ୍ରକାପ୍ତାର ବୟସ ୬ ବର୍ଷ ହୋଇଥିବା ବେଳେ ଛୁଆଟି ୬ ମାସ ହେବ ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି। ଏହି ବିଲୁପ୍ତପ୍ରାୟ ପ୍ରଜାତି ସଂଖ୍ୟା ନନ୍ଦନକାନନରେ ୧୭ ରହିଛି। ଏମାନଙ୍କ ମଧ୍ୟରେ ୫ଟି ପୁରୁଷ,୧୦ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୨ଟି ଶାବକ ଅଛନ୍ତି।

ପ୍ରକାଶଥାଉକି, ଶୁକ୍ରବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଏସ୍‌ପି ସତ୍ୟଜିତ୍‌ ନାଏକଙ୍କ ନେତୃତ୍ବର ଏକ ଟିମ୍‌ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଆମ୍ବଡ଼ିହ ଅଞ୍ଚଳରେ ଚଢ଼ଉ କରି ରୢାକେଟ୍‌ର ୪ଜଣଙ୍କୁ ଗିରଫ କରିବା ସହ ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲା। ଅଭିଯୁକ୍ତମାନେ ହେଲେ ଆମ୍ବଡିହ ଅଞ୍ଚଳର ବଳିଆ ଅନ୍ଧରା ଜୁଡ଼ିଆ, ଜନ୍ମେଜୟ ନାଏକ, ବସ୍ତା ମାନୁଡିହ ଅଞ୍ଚଳର ଦେବେନ୍ଦ୍ର ଦାସ ଏବଂ କପ୍ତିପଦା ଚକ୍ରଧରପୁର ଅଞ୍ଚଳର ରଘୁନାଥ ବେହେରା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ବନ୍ୟଜନ୍ତୁ ଚାଲାଣ ମାମଲା ବଢ଼ି ବଢ଼ି ଚାଲିଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ୨୦୧୫ରେ ୫୮ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୦୧୬ରେ ୮୩ଟି ଓ ୨୦୧୭ରେ ୯୯ଟି ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର